ସହିଦଙ୍କ ପାଇଁ ୨ମିନିଟ୍ ! ବାପୁଙ୍କ ପୁଣ୍ୟ ତିଥି ଅବସରରେ ସହିଦଙ୍କୁ ସମ୍ମାନ

85

କନକ ବ୍ୟୁରୋ: ବାପୁଙ୍କ ପୂଣ୍ୟ ତିଥି ଅବସରରେ ସହିଦଙ୍କୁ ସମ୍ମାନ । ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ ୨ମିନିଟ୍ ନିରବି ଯାଇଥିଲା ସାରା ଦେଶ । ଦିନ ୧୧ଟାରୁ ୨ମିନିଟ୍ ପାଇଁ ସମସ୍ତେ ଛିଡା ହୋଇ ସହିଦଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିଥିଲେ । ବିଶେଷ କରି ସରକାରୀ ସ୍କୁଲ, କଲେଜ୍ ଓ ଦପ୍ତରରେ ଏହା ପାଳନ କରାଯାଇଥିଲା । ସକାଳ ୧୧ଟାରୁ ୨ ମିନିଟ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା ଓ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଯେଉଁ ସ୍ଥାନରେ ସାଇରନ ରହିଥିଲା ସେଠାରେ ଗୋଟିଏ ମିନିଟ ପୂର୍ବରୁ ଅର୍ଥାତ ୧୦ଟା ୫୯ରୁ ୧୧ ଯାଏଁ ସାଇରନ ବାଜିଥିଲା । ଏହା ପରେ ୧୧ଟା୦୨ରୁ ଗୋଟିଏ ମିନିଟ ଯାଏଁ ପୁଣି ଥରେ ସାଇରନ ବାଜିଥିଲା । ସେନା ପକ୍ଷରୁ ଏହି ସମୟରୁ ଗୁଳି ଫୁଟାଇ ସୂଚନା ଦିଆଯାଇଥିଲା ।

ସେହିପରି ଯେଉଁଠାରେ ଏହି ବ୍ୟବସ୍ଥା ନାହିଁ ସେଠାରେ ଲୋକେ ନିଜ ବିବେକ ଅନୁସାରେ ଛିଡା ହୋଇ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ସହିଦଙ୍କୁ ସମ୍ମାନ ପାଇଁ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ । ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ବିଭାଗ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ଅବଗତ କରାଇବା ଲାଗି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା ।

ଅନ୍ୟପଟେ, ବାପୁଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୧ତମ ପୁଣ୍ୟତିଥିରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରାଜଘାଟ ପହଁଚି ଗାନ୍ଧୀ ସ୍ମାରକୀପୀଠରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜଘାଟ ପହଁଚି ଶ୍ରଦ୍ଧାଂଜଳି ଜଣାଇଥିଲେ ।