ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସାଂସଦଙ୍କ ଚିଠି: ଆୟୁଷ୍ମାନ ଯୋଜନାରେ ଓଡିଶାକୁ ସାମିଲ ପାଇଁ ନବୀନଙ୍କୁ କଲେ ଅନୁରୋଧ

ରାଜ୍ୟର ସ୍ୱାର୍ଥ ପାଇଁ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ନିବେଦନ

583

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଓଡିଶା ସାମିଲ ହେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ୧୦ ବିଜେପି ସାଂସଦଙ୍କ ସମେତ ୧୨ ସାଂସଦ । ଚିଠିରେ କୁହାଯାଇଛି କି, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ ଆୟୁଷ୍ମାନ ଭାରତରେ ସାମିଲ କରାଯାଉ । ଏହା ହୋଇପାରିଲେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ ।

ଏହି ଯୋଜନା ଅନୁସାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଯାଏଁ ମାଗଣା ସ୍ୱାସ୍ଥ୍ୟସେବା ମିଳିପାରୁଛି ।ଏହାଦ୍ୱାରା ଦେଶର ୫୦ କୋଟି ହିତାଧିକାରୀ ଉପକୃତ ହୋଇପାରିବେ । ଗତବର୍ଷ ଦେଶରେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଏଥିରେ ସାମିଲ ହୋଇନଥିଲେ । ନିଜସ୍ୱ ପାଣ୍ଠିରୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଏ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ବି ଏହା ରାଜ୍ୟ ସରକାର ଏହାକୁ ଗ୍ରହଣ କରିନଥିଲେ ।

କିନ୍ତୁ ସାଧାରଣ ନିର୍ବାଚନ ପରେ ରାଜ୍ୟ ଏଥିରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବି ଏନେଇ ଏଯାଏଁ ଘୋଷଣା ହୋଇନାହିଁ । ନବୀନଙ୍କୁ ଚିଠି ଲେଖିଥିବା ସାଂସଦଙ୍କ ମଧ୍ୟରେ ୮ ଜଣ ଲୋକସଭା ସାଂସଦ ଅଛନ୍ତି । ଏହା ଛଡା ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସୋନାଲ ମାନସିଂ ଓ ରଘୁନାଥ ମହାପାତ୍ର ଅଛନ୍ତି ।