ଆଜିଠୁ ଭୁବନେଶ୍ୱରରେ ଅଫିସ ଆସିବେ ସରକାରୀ କର୍ମଚାରୀ । କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ । ପୁରୀ ଓ ଗଂଜାମ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବି କୋହଳ ହେଲା କଟକଣା

590

କନକ ବ୍ୟୁରୋ: ଆଜିଠାରୁ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ ହେଉଥିବା ବେଳେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଭାବେ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଇ ପାରିବେ । ପରିଚୟ ପତ୍ର ଓ କାର୍ଯ୍ୟାଳୟ ଦେଇଥିବା ଅନୁମତି ପତ୍ରକୁ ଦେଖାଇ ଯାଇପାରିବେ । ଗାଡି ପାସ୍ ଆବଶ୍ୟକ ନାହିଁ ବୋଲି ପୋଲିସ କମିଶନର ଟ୍ୱିଟ୍ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଡେପୁଟି ସେକ୍ରେଟାରୀଙ୍କ ଉପରିସ୍ଥ ଅଧିକାରୀ କାର୍ଯ୍ୟାଳୟ ଯାଇ ପାରିବେ ।

ଅନ୍ୟ କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ କାର୍ଯ୍ୟରେ ଯୋଗ ଦେଇପାରିବେ । ସେମାନେ କେବଳ ନିଜର ପରିଚୟ ପତ୍ର ଦେଖାଇଲେ ପୁଲିସ ତାଙ୍କୁ ଯିବାକୁ ଅନୁମତି ଦେବ ବୋଲି ପୋଲିସ କମିଶନର ଟ୍ୱିଟ୍ କରିଛନ୍ତି । ସେପଟେ ଆଇଟି କମ୍ପାନୀକ୍ଷେତ୍ରରେ ୭୫ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ପାଇଁ କମିଶନରେଟ ପୋଲିସ ପରାମର୍ଶ ଦେଇଛି ଏବଂ ୨୫ ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ ବୋଲି ପରାମର୍ଶ ଦିଆଯାଇଛି । ସେମାନେ ତାଙ୍କର ପରିଚୟ ପତ୍ର ଏବଂ ସେମାନେ ସେହି ୨୫ ପ୍ରତିଶତ ଭିତରେ ଅଛନ୍ତି ବୋଲି ଇମେଲ୍ ଦେଖାଇଲେ ପୋଲିସ ଯିବା ପାଇଁ ଅନୁମତି ଦେବ ।

ଅନ୍ୟପଟେ ପୁରୀ ଜିଲ୍ଲାରେ କଣ ହେବ କୋହଳ, କଣ ରହିବ କଟକଣା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ସେ କହିଛନ୍ତି ଗ୍ରାମାଂଚଳରେ କିଛି କଟକଣା କୋହଳ କରାଯିବ । କୃଷି ଓ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସହରାଂଚଳରେ ପୂର୍ବଭଳି କଟକଣା ଜାରି ରହିବ ।

ସେହିଭଳି ଆଜିଠାରୁ ଗଂଜାମରେ କିଛି ପରିମାଣରେ କଟକଣା କୋହଳ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା କୋହଳ କରାଯିବ । ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହି । ଦିନ ରାତି ଦୋକାନ ଖୋଲା ରହିବ । ହେଲେ ସାମାଜିକ ଦୂରତା ରକ୍ଷା କରାନଗଲେ ସେହି ଦୋକାନକୁ ବନ୍ଦ କରିଦିଆଯିବ । ଔଷଧ, ସାର, ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ବୁଲା ବିକାଳି ବିକ୍ରି କରିପାରିବେ ନାହିଁ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ କାମ ଥିବା ଲୋକ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ନ ପିନ୍ଧିଥିଲେ କିମ୍ବା ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଂଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ କହିଛନ୍ତି ।