ଲଦାଖକୁ ନେଇ ମୁହାଁମୁହିଁ ଆମେରିକା-ଚୀନ। ଚୀନ କହିଲା ନିଆଁକୁ ଇନ୍ଧନ ଯୋଗାଉଛି ୟୁଏସ୍।

621

କନକ ବ୍ୟୁରୋ: ୟୁଏସ୍ ଜେନେରାଲଙ୍କ ଭାରତ ଗସ୍ତରେ ପୂର୍ବ ଲଦାଖକୁ ନେଇ ଦେଇଥିବା ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଆମେରିକା ଜେନେରାଲ ପୂର୍ବ ଲଦାଖରେ ଚୀନ ଗତିବିଧି ଆଖି ଖୋଲିଦେବା ଭଳି କହିବା ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ନିଆଁକୁ ଇନ୍ଧନ ଯୋଗାଉଛି ବୋଲି କହିଛନ୍ତି ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜନ । ଆଲୋଚନା, ପରାମର୍ଶ ମାଧ୍ୟମରେ ଦୁଇ ଦେଶ ନିଜର ସମସ୍ୟା ସମାଧାନ କରିବାରେ ସକ୍ଷମ । ଦୁଇ ଦେଶର ପ୍ରମୁଖ ସେନା ଭାରତ-ଚୀନର ସୀମାର ପଶ୍ଚିମାଞ୍ଚଳରେ ପଛକୁ ହଟିବାକୁ ରାଜି ହୋଇଛନ୍ତିି । ଏହା ଦୁଇ ଦେଶର କଥା । ଆମେରିକା ଏଥିରେ ମୁଣ୍ଡ ନ ପୁରାଉ ବୋଲି କହିଛି ଚୀନ ।

୪ ଦିନିଆ ଭାରତ ଗସ୍ତରେ ଆମେରିକା ଜେନେରାଲ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଥିଲେ ଚୀନ ପୂର୍ବ ଲଦାଖ ସୀମାର ପଶ୍ଚିମ ପାଶ୍ୱରେ ତିଆରି କରୁଥିବା ଭିତିଭୂମି ଉଦବେଗଜନକ । ଭାରତ ସୀମାରେ ଚୀନ ଅସ୍ତ୍ରଶସ୍ତ୍ର ରଖିବା ଭଳି ବଡ ବଡ ଗୃହ ନିର୍ମାଣ କରୁଛି । କିନ୍ତୁ କେହି ବି ଏସର୍ମ୍ପକରେ ପ୍ରଶ୍ନ ଉଠାନାହାଁନ୍ତି, କାହିଁକି ଚୀନ ଏଭଳି ଗୃହ ନିର୍ମାଣ କରୁଛି ।

ଲଦାଖକୁ ନେଇ ଆମେରିକା-ଚୀନ ମୁହାଁମୁହିଁ ହୋଇଥିବା ବେଳେ ଭାରତ କହିଛି, ଲଦାଖରେ ଚୀନର ଗତିବିଦ୍ଧି ଉପରେ ନଜର ରଖାଯାଇଛି । ଚୀନ ନିର୍ମାଣ କରୁଥିବା ଭିତିଭୂମି ସମେତ ଅନ୍ୟାନ୍ୟ କାର୍ଯ୍ୟକୁ ଭାରତ ସତର୍କତାର ପରିଚାଳନା କରୁଥିବା କହିଛନ୍ତି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ । ନିଜର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପନ୍ଥା ଗ୍ରହଣ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଗତ କିଛି ବର୍ଷ ହେବ ଭାରତ ମଧ୍ୟ ଚୀନ ସୀମାନ୍ତ ଅଞ୍ଚଳରେ ଭିତିଭୂମି ଉପରେ ଗୁରୁତ୍ୱ ଦେଇଛି । କେବଳ ସୁରକ୍ଷା ନୁହେଁ ସେ ଅଞ୍ଚଳର ଆର୍ଥିକ ବିକାଶ କିପରି ହୋଇପାରିବ ସେନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି ।

ଗଲୱାନା ସଂଘର୍ଷ ପରେ ଗତବର୍ଷ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଉଭୟ ସେନା ଏବଂ କୂଟନୈତିିକସ୍ତରରେ ବହୁବାର ଆଲୋଚନା ହୋଇଛି । ଗତ ମେ ମାସରେ ମଧ୍ୟ ବରିଷ୍ଠ କମାଣ୍ଡରସ୍ତରରେ ସମାଧାନ ପାଇଁ କଥାବର୍ତା ହୋଇଥିଲା । କିଛି ସ୍ଥାନରେ ଉଭୟ ଦେଶର ସେନା ପଛକୁ ହଟିଥିଲେ ବି ଏବେି କିଛି ସ୍ଥାନରେ ସେନା ପ୍ରତ୍ୟାହାର ହୋଇନାହିଁ ।