ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନ ଏକଘରିକିଆ: ପାକ୍ ବୈଦେଶିକ ମନ୍ତ୍ରୀ ମାନିଲେ, ଦୁନିଆର କୌଣସି ଦେଶ ଦେଉନାହାନ୍ତି ସମର୍ଥନ

ସେପଟେ ଆଜି ସୁପ୍ରିମକୋର୍ଟରେ ଶୁଣାଣି; କଟକଣା ନେଇ ଦାୟର ହୋଇଛି ପିଟିସନ

512

କନକ ବ୍ୟୁରୋ: ଜାମ୍ମୁକଶ୍ମୀରରୁ ଧାର ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମ ସୀମା ଛୁଇଁଛି । ଏବେ ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମିଳିଛି । ତେଣୁ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହ ପାକିସ୍ତାନ ସୈନ୍ୟଙ୍କ ଗତିବିଧୀ ଉପରେ ଅନୁଧ୍ୟାନ କରୁଛି । ଗତ ଶନିବାର ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ପରିବହନ ବିମାନ ଜରିଆରେ ପାକିସ୍ତାନର ସ୍କ୍ୱାର୍ଡୁ ବାୟୁସେନା ଘାଟିକୁ ବିଭିନ୍ନ ଉପକରଣ ନିଆଯାଇଥିଲା ।

ସ୍କ୍ୱାର୍ଡ ବାୟୁସେନା ଘାଟି ଠିକ କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିପରୀତ ପାଶ୍ୱର୍ରେ ଥିବାରୁ କଡା ନଜର ରଖିଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥା ସହ ସ୍ଥଳସେନା ଓ ବାୟୁସେନା । ପାକିସ୍ତାନ ବିମାନ ଘାଟିକୁ ଉପକରଣ ସହ ଯୁଦ୍ଧ ବିମାନ ପଠାଇଛି, ଯାହା ଅପରେସନରେ ସାହାଯ୍ୟ କରିପାରେ ବୋଲି ସନ୍ଦେହ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଅନେକ ବର୍ଷ ଧରି ପାକିସ୍ତାନ ସି-୧୩୦ ପରିବହନ ବିମାନ ବ୍ୟବହାର କରିଆସୁଛି । ହେଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଲଦାଖ ସୀମାରେ ପରିବହନ ବିମାନ ଜରିଆରେ ଉପକରଣ ପଠାଇବା ସନ୍ଦେହ ଘେରକୁ ଆସିଛି । ତେଣୁ ପାକିସ୍ତାନ ବଡ ଧରଣର ଅପରେସନ ପାଇଁ ପ୍ରସ୍ତୁତ ହେଉଥିବା ସନ୍ଦେହ କରି ଭାରତୀୟ ସେନା ଅଲର୍ଟରେ ରହିଛି ।

ଅନ୍ୟପଟେ, ଆଜି ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ସବୁ ମାମଲାର ଶୁଣାଣି ହେବ । ଧାରା ୩୭୦ ଉଚ୍ଛେଦ ନେଇ ଜମ୍ମୁକାଶ୍ମୀରରେ ସରକାର ଜାରି କରିଥିବା କଟକଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ସାମାଜିକ କର୍ମୀ ତେହେସିନ ପୁନାୱାଲାଙ୍କ ଆବେଦନର ଶୁଣାଣି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ଅଜୟ ରୋସ୍ତଗୀଙ୍କ ଖଣ୍ଡପୀଠ କରିବେ । ସେହିପରି କଶ୍ମୀରର ଏକ ଦୈନିକ ଖବର କାଗଜର ସଂପାଦିକା ଅନୁରାଧା ଭସିନଙ୍କ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି ମଧ୍ୟ ଆଜି ହେବ ବୋଲି ସୂଚନା ମିଳିଛି ।