ରୂପେଲି ପରଦାରେ ବୁଦ୍ଧିଆ ସିଂ : ରିଲିଜ୍ ହେଲା ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’ର ଟ୍ରେଲର

43

ଆସିଲା ବଲିଉଡ୍ ଫିଲ୍ମ ବୁଦ୍ଧିଆ ସିଂ, ବର୍ଣ୍ଣ ଟୁ ରନର ଟ୍ରେଲର । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଅଗଷ୍ଟ ୫ ତାରିଖରେ ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ତିଆରି ହୋଇଛି ଫିଲ୍ମ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀ । ଭାୟାକମ-୧୮ ମୋସନ ପିକ୍ଚର୍ସ ଓ କୋଡ ରେଡ ଫିଲ୍ମ ପ୍ରଡକ୍ସନ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମରେ କୁନି ଧାବକ ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀକୁ ଦର୍ଶା ଯାଇଛି । ବୁଦ୍ଧିଆକୁ ବସ୍ତିରୁ ଆଣି ପ୍ରଶିକ୍ଷଣ ଦେଇଥିଲେ କୋଚ ବିରଂଚି ଦାସ । ପୁରୀରୁ ଭୁବନେଶ୍ୱର ୬୫ କିଲୋମିଟର ରାସ୍ତାକୁ ମାତ୍ର ୪ ବର୍ଷ ବୟସରେ ଅତିକ୍ରମ କରି ବୁଦ୍ଧିଆ ବନିଯାଇଥିଲା ବିଶ୍ୱର କନିଷ୍ଠ ମାରାଥନ୍ ରନର । ଲିମକା ବୁକରେ ସ୍ଥାନ ମିଳିଥିଲା ବୁଦ୍ଧିଆ ସିଂକୁ । ୨୦୧୧ରେ ବୁଦ୍ଧିଆର ସାହାସ ଓ ସଂଘର୍ଷକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିଲା ଡକ୍ୟୁମେଂଟାରୀ । ଆଉ ଏବେ ତିଆରି ହୋଇଛି ହିନ୍ଦୀ ଫିଲ୍ମ । ଏଥିରେ ବୁଦ୍ଧିଆ ଭୂମିକାରେ କୁନି କଳାକାର ‘ମୟୁର’ ଅଭିନୟ କରିଥିବାବେଳେ ବିରଂଚି ଭୂମିକାରେ ଅଛନ୍ତି ଭର୍ସାଟାଇଲ ଆକ୍ଟର ‘ମନୋଜ ବାଜପେୟୀ’ ।