ଶ୍ରୀମନ୍ଦିର ପ୍ରଶାସନର ବାରଣ ସତ୍ୱେ ମହାପ୍ରଭୁଙ୍କୁ ଛୁଇଁଲେ ଭକ୍ତ

14

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ମାନିଲେନି ଶ୍ରୀମନ୍ଦିର ପ୍ରଶାସନର କଟକଣା । ବ୍ୟାରିକେଡ ଭାଙ୍ଗି ମହାପ୍ରଭୁଙ୍କୁ ଛୁଇଁଲେ । ଶ୍ରୀଜିଉଙ୍କୁ ଛୁଇଁବା ଉପରେ ପ୍ରଶାସନ କଟକଣା ଲଗାଇଥିବାବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି । ଗତକାଲି ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା ପରେ ଅନୁଷ୍ଠିତ ହୋଇଥିଲା ଗଜାନନ ବେଶ । ଦିନ ତମାମ ଭିଡ ଲାଗିରହିଥିବାବେଳେ ସବୁକିଛି ଶୃଙ୍ଖଳିତ ଥିଲା । ରାତିରେ ସାହାଣମେଲା ବେଳେ ବହୁ ସଂଖ୍ୟାରେ ଭକ୍ତ ହାତୀବେଶ ଦର୍ଶନ କରିଥିଲେ । କିନ୍ତୁ ଅନେକ ଭକ୍ତ ପ୍ରଶାସନର କଟକଣାକୁ ଖାତିର ନକରି ଶ୍ରୀଜିଉଙ୍କୁ ଛୁଇଁଥିବାର ଦେଖିବାକୁ ମିଳିଥିଲା । ବ୍ୟାରିକେଡକୁ ଆଡେଇ ଶହଶହ ଭକ୍ତ ଶ୍ରୀବିଗ୍ରହଙ୍କ ନିକଟକୁ ଚାଲିଯାଇଥିଲେ । ଠାକୁରଙ୍କୁ ଛୁଇଁବା ସହ କୁଣ୍ଢାଇଥିଲେ । ଏପରିକି ଠାକୁରଙ୍କ ଶ୍ରୀମୁଖରେ ହାତ ମାରୁଥିବା ବି ନଜର ଆସିଥିଲା । ଶ୍ରୀଅଙ୍ଗକୁ ଟଣାଓଟରା କରିପକାଇଥିଲେ । କୌଣସି ଅଘଟଣ ଏଡାଇବାକୁ ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ୱେ ଘଟିଛି ବିଭ୍ରାଟ । ସେବାୟତ ଓ କିଛି ଭକ୍ତଙ୍କ ଭିତିରି ବୁଝାମଣାରୁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି । ଏପରିକି ବିବାଦ ତେଜିବା ପରେ ଶ୍ରୀଜିଉଙ୍କ ପହଣ୍ଡି ବିଳମ୍ବିତ ହୋଇଥିଲା ।