ଖୁବଶୀଘ୍ର ପୂର୍ବ ଭାରତର ଉତ୍ପାଦନ ହବ୍ ବନିବାକୁ ଯାଉଛି ଓଡ଼ିଶା: ଫିକିର ବାର୍ଷିକ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ ହେବ

କରୋନା ସମୟରେ ରାଜ୍ୟକୁ ଆସିଛି ଲକ୍ଷେ କୋଟିରୁ ଅଧିକ ପୁଂଜିନିବେଶ

88

କନକ ବ୍ୟୁରୋ: ଓଡିଶା ଏବେ ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି । ଗତ ଦୁଇ ଦଶନ୍ଧିରେ ଓଡିଶାରେ ଶିଳ୍ପ ପାଇଁ ପରିବେଶ ଓ ଅଭିବୃଦ୍ଧି ଉପରେ ଆଲୋକପାତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ୯୩ତମ ବାର୍ଷିକ ସାଧାରଣ ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ନବୀନ । ଏହି ଅଧିବେଶନରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପର୍ଯ୍ୟଟନ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶାକୁ ମନୋନୀତ କରିବାକୁ ଫିକିକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପୁଂଜି ବିନିଯୋଗ ପ୍ରୋତ୍ସାହନ, ନୀତି ପ୍ରଚାର ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନରେ ଫିକି କରିଥିବା ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଥିଲେ । ଖୁବ୍ ଶୀଘ୍ର ପୂର୍ବ ଭାରତ ଉତ୍ପାଦନ ହବ୍ ହେବ ଓଡିଶା ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ କୋଭିଡ୍ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବିଭିନ୍ନ ସେକ୍ଟରରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ନୂଆ ପୁଂଜି ନିବେଶ ପାଇ ପାରିଛି । ଏହା ରାଜ୍ୟର ଶିଳ୍ପ ପରିବେଶର ଏକ ବଡ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।