ନବୀନ ସରକାର ଉପରେ ପ୍ୟାଡମ୍ୟାନର ପ୍ରଭାବ ! ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’, ୬ ଟଙ୍କାରେ ମହିଳା ଓ କିଶୋରୀଙ୍କୁ ମିଳିବ ୬ଟି ପ୍ୟାଡ୍
କନକ ବ୍ୟୁରୋ : ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’ । ଏଇ, ଖୁସି ହେଉଛି ରାଜ୍ୟ ସରକାରଙ୍କ ଯୋଜନା । ଯାହା ମାଧ୍ୟମରେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ ।ସେହିପରି ସହରାଂଚଳ ଓ ଗ୍ରାମାଂଚଳ ମହିଳାଙ୍କୁ ରିହାତି ମୁଲ୍ୟରେ ମିଳିବ ଏହି ସାନିଟାରୀ ନାପକିନ୍ । ୬ଟି ନାପକିନ୍ ପାଇଁ ଦେବାକୁ ପଡ଼ିବ ମାତ୍ର ୬ ଟଙ୍କା । ଅର୍ଥାତ୍ ଟଙ୍କାଟିଏରେ ପାଇପାରିବେ ନାପକିନ୍ । ଯୁବତୀ ଏବଂ ମହିଳାଙ୍କୁ ପରିସ୍କାର ପରିଚ୍ଚନ୍ନତା ପ୍ରତି ସଚେତନ କରିବା ଉର୍ଦ୍ଦେଶ୍ୟରେ ଏଭଳି ଏକ ଯୋଜନା କରିଛନ୍ତି ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଋତୁସ୍ରାବ, ଏଭଳି ଏକ ମୁହୁର୍ତ ଯାହାକୁ ନେଇ ଏବେ ବି ଆମ ସମାଜରେ ରହିଛି ଅନେକ ପରମ୍ପରାଗତ କଟକଣା । ସାମାଜିକ ଚଳଣୀ ଓ ପାରମ୍ପରିକ ଶୈଳୀ ଅନୁକରଣ ଭିତରେ ଆଜିର ଦିନରେ ବି ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ ଆମ ସମାଜ । ପରିସ୍କାର ପରିଚ୍ଚନ୍ନତାକୁ ଯେଉଁ ସମୟରେ ଅଧିକ ସଚେତନ ହେବା କଥା, ସଚେତନା ଅଭାବରୁ ଯୁବତୀ ଓ ମହିଳାଙ୍କୁ ବାଛି ନେବାକୁ ହୁଏ ପୁରୁଣା କାଳିଆ ବାଟ ।ଆଉ ଏଭଳି ଏକ ସମୟରେ ଯୁବତୀ ଓ ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଖୁସି’ । ‘ଖୁସି’ ଇଏ ହେଉଛି ସେହି ଯୋଜନା, ଯାହା ମାଧ୍ୟମରେ ସ୍କୁଲଗୁଡ଼ିକରେ ଝିଅମାନଙ୍କୁ ମାଗଣାରେ ସରକାର ଯୋଗାଇ ଦେବେ ସାନିଟାରୀ ନାପ୍କିନ୍ । ଏହା ସହ ସହରାଂଚଳ ଓ ଗ୍ରାମାଂଚଳ ମହିଳାଙ୍କୁ ରିହାତି ମୁଲ୍ୟରେ ଯୋଗଇ ଦିଆଯିବ ସାନିଟାରୀ ନାପକିନ୍ ।
ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ୍ ଯେଉଁ ଜନଜାଗରଣ ସୃଷ୍ଟି କରିଥିଲା, ସେହି ରାସ୍ତାକୁ ଆପଣାଇ ନେଇଛନ୍ତି ଓଡ଼ିଶା ସରକାର । ଏମିତିକି ଅକ୍ଷୟ କୁମାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମାଗଣାରେ ଏହି ସାନିଟାରୀ ନାପ୍କିନ୍ ଯୋଗଇ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ ।ଅକ୍ଷୟ କୁମାରଙ୍କ ଫିଲ୍ମ ଯେଉଁ ବାର୍ତା ଦେଉଛି ଏବଂ ରାଜ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି-ଉଭୟର ଲକ୍ଷ୍ୟ ସମାନ । କେମିତି ଆମ ଝିଅ ଓ ମହିଳାମାନେ ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନ୍ନତା ଆପଣାଇବେ । ଏବଂ ସୁବିଧାରେ ସାନିଟାରୀ ନାପକିନ୍ ପାଇପାରିବେ ।
କେବଳ ଓଡ଼ିଶା ସରକାର ନୁହେଁ ମହାରାଷ୍ଟ୍ର ସରକାର ମଧ୍ୟ ଆସନ୍ତା ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ‘ଅସ୍ମିତା’ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଯେଉଁଥିରେ ମହିଳା ଓ ସ୍କୁଲ ଛାତ୍ରୀଙ୍କୁ ରିହାତି ମୂଲ୍ୟରେ ସାନିଟାରୀ ନାପକିନ୍ ଦେବାର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଏନଆରଏଚଏମ୍ ଯୋଜନାରେ ମଧ୍ୟ ଫ୍ରି-ଡେଜ୍ ନାଁରେ ଏଭଳି ଏକ ଯୋଜନା କାମ କରୁଛି । ଯେଉଁଥିରେ ୧୫୨ଟି ଜିଲ୍ଲା ଏହି ଅଭିଯାନ ଜାରି ରଖିଛି ।କେରଳ ସରକାର ପ୍ରଥମ କରି ସ୍କୁଲଗୁଡ଼ିକରେ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦେବାର ଯୋଜନା ଆରମ୍ଭ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି-ମୋଟ୍ ଜନସଂଖ୍ୟାର ପ୍ରାୟ ଅଧା ମହିଳା ଥିବା ବେଳେ ହୁଏତ ଏକ ବଡ ଭୋଟକୁ ଏହି ଯୋଜନା କରିବାର ସମ୍ଭାବନା ରହିଛି ।
-‘ଖୁସି’ ଯୋଜନାରେ ସମସ୍ତ ସରକାରୀ ସ୍କୁଲ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ୍
-ରାଜ୍ୟର ୧୭ ଲକ୍ଷ ଛାତ୍ରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ
-ଗ୍ରାମାଚଂଳ ଏବଂ ସହରାଚଂଳରେ ମହିଳାଙ୍କୁ ରିହାତି ମୂଲ୍ୟରେ ମିଳିବ ସାନିଟାରୀ ନାପ୍କିନ୍
-୬ଟି ନାପକିନ୍ ପାଇଁ ଏମାନଙ୍କୁ ଦେବାକୁ ପଡ଼ିବ ମାତ୍ର ୬ ଟଙ୍କା
-ଆଶା କର୍ମୀଙ୍କ ଦ୍ୱାରା ସୋସିଆଲ ମାର୍କେଟିଂ ଜରିଆ ଏହା ଉପଲବ୍ଧ ହେବ