ବଦଳିନି ଲୋକଙ୍କ ମିଜାଜ । ଏବେ ବି ମୋଦି ପ୍ରଥମ ପସନ୍ଦ । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ ଏନଡିଏକୁ ବହୁମତ ।

45

କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ । ୨୦୧୮ ଓ ୨୦୧୯ରେ କେତେକ ରାଜ୍ୟରେ ନିର୍ବାଚନ ହେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଆଜତକ’ ଓ ‘କାରଭେ’ ଇଂସାଇଟ ଲିମିଟେଡ ପକ୍ଷରୁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ ଏକ ସର୍ଭେ କରାଯାଇ ଓପିନିୟନ ପୋଲ ପ୍ରକାଶ କରାଯାଇଛି । ‘ମୁଡ ଅଫ ଦି ନେସନ’ ନାମରେ ଏହି ସର୍ଭେ କରାଯାଇଥିଲା ଯେଉଁଥିରେ ଆଜିର ଦିନରେ ନିର୍ବାଚନ ହେଲେ ଲୋକେ ମୋଦି ଲହରକୁ ଆପଣାଇବେ ବୋଲି ମତ ରଖିଛନ୍ତି ।

ଓଡିଶା ସମେତ ଦେଶର ୧୯ଟି ରାଜ୍ୟରେ କରାଯାଇଥିବା ଏହି ସର୍ଭେକୁ ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିଆଣା, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଂଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ ଓ ବଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହି ସର୍ଭେ କରାଯାଇଥଲା । ଯେଉଁଥିରେ ୯୭ଟି ସଂସଦୀୟ କ୍ଷେତ୍ରର ୧୯୪ ବିଧାନସଭା ଆସନ ଅଧିନରେ ପ୍ରାୟ ୧୨ହଜାର ୧୭୮ ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ଗ୍ରାମାଞ୍ଚଳ ଓ ୩୨ ପ୍ରତିଶତ ସହରାଞ୍ଚଳ ଲୋକ ନିଜର ମତ ଦେଇଥିଲେ ।

ଏହି ସର୍ଭେ ମୁତାବକ ଯଦି ଆଜିର ଦିନରେ ନିର୍ବାଚନ ହୁଏ ତେବେ ଏନଡିଏକୁ ୩୪୯ ଆସନ ଓ ୟୁପିଏକୁ ୭୫ ଆସନ ମିଳିବ ଏବଂ ଅନ୍ୟାନ୍ୟଙ୍କ ଖାତାକୁ ୧୧୯ଟି ଆସନ ଯିବ । ନିର୍ବାଚନର ଛଅମାସ ପୂର୍ବରୁ ହୋଇଥିବା ଏହି ସର୍ଭେ ରିପୋର୍ଟରେ ଏନଡିଏକୁ ୧୧ଟି କମ ଆସନ ମିଳୁଥିବା ଦର୍ଶାଯାଇଛି । ତେବେ ମୋଦି ସରକାରର ତୃତୀୟ ବର୍ଷରେ ମଧ୍ୟ ଯଦି ଏନଡିଏ ୩୦୦ ଆସନ ପାଉଛି ତେବେ ଏହା ସରକାର ପାଇଁ ବଡ ଉପଲବ୍ଧି ହେବ ବୋଲି କୁହାଯାଉଛି ।

ପ୍ରାୟ ୪୨ପ୍ରତିଶତ ଭୋଟ ଏନଡିଏକୁ ମିଳିବାକୁ ଥିବା ବେଳେ ପ୍ରାୟ ୨୮ ପ୍ରତିଶତ ଭୋଟ କଂଗ୍ରେସ ଖାତାକୁୁ ଯାଇପାରେ ବୋଲି କୁହାଯାଇଛି । ତେବେ ଅନ୍ୟ କୌଣସି ରାଜନୈତିକ ଦଳ ସାମ୍ନାକୁ ଆସିଲେ ଏନଡିଏକୁ ୨୯୮, କଂଗ୍ରେସକୁ ୪୭ ଓ ଅନ୍ୟାନ୍ୟକୁ ୧୯୮ ସିଟ ମିଳିବ ବୋଲି ଆକଳନ କରାଯାଇଛି ।
ତେବେ ଏହି ସର୍ଭେରେ ମୋଦିଲହରୀକୁ ପୁଣିଥରେ ଦୋହରାଇଛନ୍ତି ମତଦାତା । ୨୦୧୪ରେ ହୋଇଥିବା ସର୍ଭେରେ ଇନ୍ଦିରା ଗାନ୍ଧୀ ଲୋକପ୍ରିୟତାରେ ନରେନ୍ଦ୍ର ମୋଦିଙ୍କ ଠାରୁ ୧୨ ପ୍ରତିଶତ ଆଗରେ ଥିବା ବେଳେ ଚଳିତ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଇନ୍ଦିରାଙ୍କ ଠାରୁ ୧୬ ପ୍ରତିଶତ ଆଗରେ ରହିଛି ।

ଅନ୍ୟପଟେ ୨୫ ପ୍ରତିଶତ ଲୋକ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା ସର୍ଭେରେ କୁହାଯାଇଛି । ତେବେ ପୂର୍ବଥର ସର୍ଭେ ଠାରୁ ଏହି ହାର ୫ ପ୍ରତିଶତ କମ ବୋଲି ଉଲ୍ଲେଖ କରାଯାଇଛି । ସେହିଭଳି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ୨୮ ପ୍ରତିଶତ ଲୋକ ନିଜ ପସନ୍ଦର କେନ୍ଦ୍ରମନ୍ତ୍ରୀ ଭାବେ ମତ ଦେଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଦ୍ୱିତୀୟ ଓ ସୁଷମା ସ୍ୱରାଜଙ୍କୁ ତୃତୀୟ ପସନ୍ଦ ଭାବେ ବାଛିଛନ୍ତି ଲୋକେ ।

ସେହିଭଳି ମୋଦିଙ୍କ କାର୍ଯ୍ୟଶୈଳୀକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ୬୩ ପ୍ରତିଶତ ଲୋକ ମୋଦିଙ୍କ କାମକୁ ପ୍ରଶଂସା କରିଥିବା ବେଳେ ୨୩ ପ୍ରତିଶତ ଲୋକେ ଏହାକୁ ସାମାନ୍ୟ ବୋଲି କହିଛନ୍ତି । ତେବେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଲୋକେ ମୋଦିଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ।
କାଶ୍ମୀର ପ୍ରସଙ୍ଗରେ ମଧ୍ୟ ମତ ଦେଇଛନ୍ତି ଲୋକେ । ୪୨ ପ୍ରତିଶତ ଲୋକ ଏନଡିଏ ସରକାର ଏହି ମାମଲାକୁ ଠିକ ଢ଼ଙ୍ଗରେ ପରିଚାଳନା କରୁଥିବା କହିଛନ୍ତି । ୧୮ ପ୍ରତିଶତ ଲୋକ କାଶ୍ମୀର ମାମଲା ଅଧିକ ବିଗିଡି ଯାଇଥିବା କହିଛନ୍ତି ।

ନିର୍ବାଚନ ପୂର୍ବରୁ ଏଭଳି ଓପିନିୟନ ପୋଲ ଅନେକ ସମୟରେ ପ୍ରଭାବ ପକାଇଥିବା ବେଳେ ଅନେକ ପୋଲ କୌଣସି ପ୍ରଭାବ ପକାଇ ପାରେନାହିଁ । ତେଣୁ ୨୦୧୮ ଓ ୨୦୧୯ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରର ଏହି ସର୍ଭେ ରିପୋର୍ଟ ନିର୍ବାଚନ ସମୟରେ କଣ ପ୍ରଭାବ ପକାଇବ ତାହା ଦେଖିବାର କଥା ।