ସୁନା ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ଦୁର୍ବୃତ୍ତ । ଗୁଳିମାଡରେ ସୁନା ବ୍ୟବସାୟୀ ଆହତ, ସହଯୋଗୀ ଗୁରୁତର

98

କନକ ବ୍ୟୁରୋ : ଚୌଦ୍ୱାରରେ ଗୁଳିକାଣ୍ଡ । ସୁନା ବ୍ୟବସାୟୀ ଓ ତାଙ୍କ ସହଯୋଗୀ ଗୁଳି ମାଡରେ ଆହତ ହୋଇଛନ୍ତି । ଗାନ୍ଧୀ ଛକରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁବୃର୍ତ । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୁନା ବ୍ୟବସାୟୀ ଦେବେନ୍ଦ୍ର ମହାରଣା ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ ଓ ଲୁଟ କରିବା ପରେ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଚୌଦ୍ବାର ଗ୍ରାମ ବଣିଆ ସାହିର ବାସିନ୍ଦା ଦେବେନ୍ଦ୍ର ଗାନ୍ଧୀ ଛକରେ ସୁନା ଦୋକାନ କରିଛନ୍ତି । ପୂର୍ବରୁ ତାଙ୍କ ଦୋକାନରୁ ଏକାଧିକଥର ଚୋରି ହୋଇଥିବା ବେଳେ ସେ ଟଙ୍କା, ସୁନା ଇତ୍ୟାଦି ଧରି ପ୍ରତ୍ୟେକ ଦିନ ଘରକୁ ଫେରନ୍ତି । ଦେବେନ୍ଦ୍ର ବୁଧବାର ଦିନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଚୌଦ୍ୱାର ଗ୍ରାମ ଗାର୍ଲସ ହାଇସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହିତ ଧମକ ଦେଇ ଗୁଳି ଫୁଟାଇଥିଲେ । କିନ୍ତୁ ଦେବେନ୍ଦ୍ର ଟଙ୍କା, ସୁନା ନ ଦେବାରୁ ସେମାନେ ଦୁଇଟି ‌ଗୁଳି ତାଙ୍କ ବାମ ଗୋଡ଼କୁ ଏବଂ ଗୋଟିଏ ଗୁଳି ଡାହଣ ଗୋଡ଼କୁ ଲକ୍ଷ୍ୟକରି ଫୁଟାଇଥିଲେ। ଦେବେନ୍ଦ୍ର ଘଟଣାସ୍ଥଳରେ ପଡ଼ିଯାଇଥିବା ବେଳେ ସେମାନେ ତାଙ୍କୁ ସ୍କୁଟିରୁ ସୁନା, ଟଙ୍କା ଥିବା ବ୍ୟାଗ ଲୁଟି ନେଇ ଚମ୍ପଟ ମାରିଥିଲେ । ଏଥିରେ ୧୦ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର, ପାଖାପାଖି ୫ କିଳୋ ଚାନ୍ଦି ଅଳଙ୍କାର, ୧୫ ହଜାର ଟଙ୍କା ଥିଲା । ସ୍ଥାନୀୟ ଲୋ‌କେ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ ।

କଟକ ଡିସିପି ପ୍ରତୀକ ସିଂହ, ଚୌଦ୍ବାର ଥାନା ଆଇଆଇସି ବିରଂଚି ନାରାୟଣ ପତି, ସାଇଣ୍ଟିଫିକ୍ ଟିମ୍ ସଦସ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ୪ଟି ଖୋକା ମିଳିଛି । ଦୁର୍ବୃତ୍ତମାନେ ଚୌଦ୍ୱାର ରାଜପଥ ଦେଇ ଖସି ଯାଇଥିବା କୁହାଯାଉଛି । ଏ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ଏବଂ ଚଢଉ ଆରମ୍ଭ କରିଛି ।