ସିଦ୍ଧି ସାଜିଲେ ସଞ୍ଜିବନୀ : ମୃତ୍ୟୁ ପରେ ବି ୨ଜଣଙ୍କୁ ଦେଲେ ଜୀବନ; ୧୫ ବର୍ଷ ଝିଅର ବ୍ରେନ ଡେଡ୍ ପରେ କିଡନୀ ଦାନ କଲେ ପରିବାର

113

କନକ ବ୍ୟୁରୋ : ମୃତ୍ୟୁ ପରେ ବି ଜୀବନ ଦେଇହୁଏ, ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୋଟିଏ ପରିବାର । ନିଜ ୧୫ ବର୍ଷ ଝିଅର ବ୍ରେନ ଡେଡ୍ ହେବା ପରେ ତାଙ୍କ କିଡନୀକୁ ଦାନ କରିଛନ୍ତି । ଯେଉଁଥିପାଇଁ ସବୁବେଳେ ମନେ ରହିବେ ସିଦ୍ଧି ସମୃଦ୍ଧି । ମସ୍ତିଷ୍କ ମୃତ୍ୟୁ ହେବା ପରେ ୧୫ ବର୍ଷର ଝିଅ ସିଦ୍ଧି ମସୃଦ୍ଧିଙ୍କ ଦୁଇଟି କିଡନୀଙ୍କୁ ଦାନ କରିଛନ୍ତି ପରିବାର ଲୋକ । ଦୁଇଟି କିଡନୀ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ବ୍ରହ୍ମପୁର ଗଜପତି ନଗରର ବାସିନ୍ଦା ସିଦ୍ଧି ସମୃଦ୍ଧିଙ୍କ ବ୍ରେନ ଡେଡ୍ ହୋଇଯାଇଥିଲା ।

ଏହା ପରେ ତାଙ୍କ କିଡନୀକୁ ଆପାଲୋ ଓ ଅନ୍ୟଟି ଏସସିବିରେ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଉଭୟ ଅସ୍ତ୍ରୋପଚାର ସଫଳ ହୋଇଥିବା ଜଣାଯାଇଛି । ସିଦ୍ଧି ସମୃଦ୍ଧି ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ମଝିରେ ମଝିରେ ସେଜ୍ଞାହୀନ ହୋଇପଡୁଥିଲେ । ପରିବାର ଲୋକ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ । ଗତକାଲି ତାଙ୍କର ବ୍ରେନ ଡେଡ୍ ହେବାପରେ ବାପା, ମାଆ ଭାଙ୍ଗି ପଡିଥିଲେ ସତ ହେଲେ ଝିଅର କିଡନୀ ଦାନ କରିବାକୁ ଯେଉଁ କଠୋର ନିଷ୍ପତ୍ତି ନେଇଥିଲେ ତାହା ଉଦାହରଣ ସୃଷ୍ଟି କରିଛି । ଏସସିବିର ଏକ ୩ ଜଣିଆ ଡାକ୍ତରୀ ଦଳ ମୃତ ନାବାଳିକା ଶରୀରରୁ ଗୋଟିଏ କିଡନୀ ସଫଳତାର ସହ ବାହାର କରି କଟକ ଏସସିବିକୁ ଆଣିଥିଲେ ।

ଏଠାରେ ଜଗତସିଂହପୁର ଅଞ୍ଚଳର ଅନାମିକା ସାହୁଙ୍କ ଶରୀରରେ ଗୋଟିଏ କଡନୀ ପ୍ରତିରୋପଣ କରାଯାଇଛି । କରୋନା ମହାମାରୀ ପରେ କଟକ ବଡ ମେଡିକାଲେର ଏହା ପ୍ରଥମ କିଡନୀ ପ୍ରତିରୋପଣ । ଅନାମିକା ୩-୪ ବର୍ଷ ଧରି କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଡାଇଲିସିସି ଚାଲିଥିଲା । ସେହିଭଳି ଆଉ ଏକ କିଡନୀକୁ ଆପୋଲୋରେ ଜଣେ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ଗୋଟିଏ ମଣିଷର ଜୀବନ ବଦଳରେ ଆଉ ଦୁଇଜଣ ଲୋକଙ୍କୁ ଜୀବନ ମିଳିଛି ।