କଳଙ୍କିତ ହେଲା ଚର୍ଚ୍ଚିତ ଆଇଏଏସ ଚନ୍ଦ୍ରକଳାଙ୍କ କ୍ୟାରିୟର ! ଦୁର୍ନୀତି ଅଭିଯୋଗରେ ଛନ୍ଦି ହେଲେ ଚନ୍ଦ୍ରକଳା ।

920

ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ କ୍ୟାରିୟରରେ ଲାଗିଛି କଳଙ୍କ । ବେଆଇନ ବାଲି ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଶନିବାର ଉତ୍ତରପ୍ରଦେଶର ୧୨ଟି ସ୍ଥାନରେ ଚଢାଉ କରିଥିଲା । ଏହି ମାମଲାରେ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଥିଲା । ତେବେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ରୁ ବାଲି ଖନନ ଦୁର୍ନୀତିର ତଦନ୍ତ ଚାଲିଛି । ଅଧିକାଂଶ ସ୍ଥାନରେ କଟକଣା ଲାଗୁ ସତ୍ତେ୍ୱ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀମାନେ ହାତ ମିଳାଇ ବାଲି ଖନନ ପାଇଁ ଠିକା ପ୍ରଦାନ କରିଥିବା ଜଣାପଡିଥିଲା ।

ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏହି ଆଇଏଏସ ଅଫିସର । ସୋସିଆଲ୍ ମିଡିଆରେ ମଧ୍ୟ ଚନ୍ଦ୍ରକଳାଙ୍କ ଅନେକ ଅନୁଗାମୀ ରହିଛନ୍ତି । ଏପରିକି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଠାରୁ ମଧ୍ୟ ଅଧିକ ଅନୁଗାମୀ ରହିଛନ୍ତି ଚନ୍ଦ୍ରକଳାଙ୍କର । ତେବେ ଚନ୍ଦ୍ରକଳାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ରହିଥିଲା । ଏପରିକି ୨୦୧୭ରେ ଚନ୍ଦ୍ରକଳା ତାଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ମଧ୍ୟ ବିଫଳ ହୋଇଥିଲେ । ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ୨୦୧୪ ଆର୍ଥିକ ବର୍ଷ ପାଇଁ ୧୫ ଜାନୁୟାରୀ ୨୦୧୫ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ନିୟମ କରାଯାଇଥିଲା । ଆଉ ଏହାରି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କିଛି ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରେ ଚନ୍ଦ୍ରକଳାଙ୍କ ନାଁ ମଧ୍ୟ ସାମିଲ ଥିଲା ।

ସବୁଠାରୁ ବଡ କଥା ହେଉଛି, ୨୦୧୧-୧୨ ଆର୍ଥିକ ବର୍ଷରେ ଚନ୍ଦ୍ରକଳା ତାଙ୍କ ସମ୍ପତ୍ତି କେବଳ ୧୦ ଲକ୍ଷ ଟଙ୍କା ଥିଲା ବୋଲି ଦର୍ଶାଇଥିଲେ । ଆଉ ୨୦୧୩-୧୪ ଆର୍ଥିକ ବର୍ଷରେ ତାହା ବୃଦ୍ଧି ପାଇ ୧ କୋଟିରେ ପହଞ୍ଚିଥିଲା । ଅର୍ଥାତ ମାତ୍ର ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ବେଆଇନ ବାଲି ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଏହି ଆଇଏଏସ ଅଫିସରଙ୍କ ଘରେ ଗତକାଲି ରେଡ୍ କରିଥିଲା । ଏହି ମାମଲାରେ ସିବିଆଇ ରାଡାରରେ ଥିବା ଅଖିଲେଶଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡିଛି । ସିବିଆଇ ତଥ୍ୟ ମୁତାବକ ୨୦୧୧ ପରେ ଉତ୍ତରପ୍ରଦେଶରେ ସମସ୍ତ ଖନନ ମନ୍ତ୍ରୀଙ୍କୁ ଜେରା କରାଯିବ । ୨୦୧୨-୧୩ରେ ଏହି ମନ୍ତ୍ରାଳୟ ଅଖିଲେଶଙ୍କ ପାଖରେ ଥିଲା ।