ଲାଗୁ ହେବ ଜିଏସଟି ! କାହାର କ’ଣ ଲାଭ ହେବ, ଜାଣନ୍ତୁ

71

ଜୁଲାଇ ପହିଲାରୁ ଦେଶରେ ଜିଏସଟି (ସାମଗ୍ରୀ ଏବଂ ସେବା ଟିକସ) କାର୍ଯ୍ୟକାରୀ ହେବ । ପରୋକ୍ଷ ଟିକସ କ୍ଷେତ୍ରରେ ଏହା ଏକ ବଡ଼ ସଂସ୍କାର । ଏହି ଟିକସ ସଂସ୍କାରକୁ ନେଇ ଖାଉଟି, ବ୍ୟବସାୟୀ ଏବଂ ରାଜସ୍ୱ ସଂଗ୍ରହକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଶା ଓ ଆଶଙ୍କା ଦେଖାଦେଇଛି । ଯଦିଓ ଜିଏସଟିର ପ୍ରକୃତ ପ୍ରଭାବ କ’ଣ ରହିବ ତାହା ପ୍ରାୟ ବର୍ଷେ ପରେ ସ୍ପଷ୍ଟ ହେବ, ତଥାପି କାହାକୁ କିଭଳି ଏହା ପ୍ରଭାବିତ କରିବ ତାହାକୁ ନେଇ ଅଙ୍କକଷା ଚାଲିଛି।

• ଜିଏସ୍‌ଟି ଦ୍ୱାରା ବ୍ୟାଙ୍କିଂ, ଟେଲିକମ୍‌, ବୀମା ଆଦି ସେବା ମହଙ୍ଗା ହେବ।

• ମାସିକ ମୋବାଇଲ ବିଲ୍‌ ଏବଂ ଟ୍ୟୁସନ ଫି ବାବଦରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

• ମାବାଇଲ ବିଲ୍‌, ଟ୍ୟୁସନ ଫି ଏବଂ ସେଲୁନ୍‌ ସେବା ପାଇଁ ଗ୍ରାହକଙ୍କୁ ୩ ପ୍ରତିଶତ ଅଧିକ ଟିକସ ଦେବାକୁ ହେବ। ସେମାନଙ୍କୁ ଏବେ ୧୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିବାବେଳେ ଜିଏସ୍‌ଟି ବ୍ୟବସ୍ଥାରେ ୧୮ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।

• ସେହିଭଳି ରେଡିମେଡ ପୋଷାକ ମଧ୍ୟ ମହଙ୍ଗା ହେବ । ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ଏବେ ୬ ପ୍ରତିଶତ ଭାଟ୍‌ ଲାଗୁ ହେଉଥିବାବେଳେ ଜିଏସ୍‌ଟିରେ ଏହା ୧୨ ପ୍ରତିଶତ ହେବ । ୧୦୦୦ ଟଙ୍କାରୁ କମ୍‌ ମୂଲ୍ୟର ପୋଷାକ ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ ।

• ଫ୍ଲାଟ କିମ୍ବା ଦୋକାନ ଘର କ୍ରୟ କରିଲେ ଏଥିପାଇଁ ଟିକସ ବାବଦରେ ଅଧିକ ଅର୍ଥ ଜିଏସଟିରେ ଦେବାକୁ ହେବ । ଏବେ ଫ୍ଲାଟ୍‌ ଏବଂ ଦୋକାନ ଘର କ୍ରୟ ପାଇଁ ୫ ପ୍ରତିଶତ ଭାଟ୍‌ ଦେବାକୁ ପଡ଼ୁଥିବାବେଳେ ଜିଏସ୍‌ଟିରେ ୧୨ ପ୍ରତିଶତ ଟିକସ ଦେବାକୁ ହେବ।

• ଜିଏସ୍‌ଟି ବ୍ୟବସ୍ଥାରେ ବିଲଡରମାନେ ଯେଉଁ ଇନପୁଟ୍‌ କ୍ରେଡିଟ୍‌ ପାଇବେ ତାହାର ଲାଭ ଗ୍ରାହକଙ୍କୁ ଦେବେ ବୋଲି ଆଶା କରାଯାଉଛି । ସରକାର ମଧ୍ୟ ଏ ନେଇ ସୂଚନା ଜାରି କରୁଛନ୍ତି । କିନ୍ତୁ ବାସ୍ତବତଃ ଏହା କେତେ ସମ୍ଭବ ହେବ ତାହାକୁ ନେଇ ଟିକସ ବିଶେଷଜ୍ଞମାନେ ସନ୍ଦିହାନ ଅଛନ୍ତି ।

• ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁରେ ଗ୍ରାହକଙ୍କ ଖାଇବା ପାଇଁ ଟିକସ ବାବଦରେ ୧୮ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ ।

ବ୍ୟବସାୟୀମାନେ କିଭଳି ପ୍ରଭାବିତ ହେବେ?

• ଜିଏସ୍‌ଟିରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କୁ ଛାଡ଼ କରାଯାଇଛି।

• ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର ଥିବା ବ୍ୟବସାୟୀ, ଉତ୍ପାଦନକାରୀ ଏବଂ ରେସ୍ତୋରାଁ ଗୁଡ଼ିକ କମ୍ପୋଜିସନ ସ୍କିମର ଲାଭ ଉଠାଇ ପାରିବେ।

• ସେମାନେ ଜିଏସଟି ବ୍ୟବସ୍ଥାରେ ଯଥାକ୍ରମେ ୧ ପ୍ରତିଶତ, ୨ ପ୍ରତିଶତ ଏବଂ ୫ ପ୍ରତିଶତ ଟିକସ ଦେଇପାରିବେ । ଏହି ବ୍ୟବସାୟୀମାନେ ଯଦିଓ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ ପାଇବେ ନାହିଁ ତଥାପି ଏମାନଙ୍କୁ କେବଳ କ୍ୱାର୍ଟରଲି ରିଟର୍ଣ୍ଣ ଦାଖଲ କରିବାକୁ ହେବ।

• ଅନ୍ୟ ବ୍ୟବସାୟୀମାନଙ୍କୁ ପ୍ରତିମାସରେ ୩ ଥର ରିଟର୍ଣ୍ଣ ଫାଇଲ କରିବାକୁ ହେବ।

• ଜୁନ୍‌ ୩୦ ତାରିଖ ସୁଦ୍ଧା ପହଞ୍ଚିଥିବା ସାମଗ୍ରୀର କ୍ଲିଅରାନ୍ସ ଜୁଲାଇ ୧ ତାରିଖ ପରେ ହେଲେ ମଧ୍ୟ ଏହା ଉପରେ ଆଇଜିଏସଟି ଏବଂ କ୍ଷତିପୂରଣ ସେସ୍‌ ଲାଗୁ ହେବ ନାହିଁ।

• ପେଟ୍ରୋଲିୟମ ଏବଂ ତମାଖୁ ଜାତୀୟ ସାମଗ୍ରୀର ଆମଦାନି ଉପରେ ଅତିରିକ୍ତ ସୀମା ଶୁଳ୍କ ଲାଗିବା ଅବ୍ୟାହତ ରହିବ । ସମସ୍ତ ଆମଦାନିକାରୀ/ରପ୍ତାନିକାରୀଙ୍କ ପାଇଁ ଏଣ୍ଟ୍ରିି ବିଲ୍‌, ସିପିଂ ବିଲ୍‌ ଏବଂ କୋରିଅର ଫର୍ମରେ ଜିଏସ୍‌ଟି ପଞ୍ଜୀକରଣ ନମ୍ବର(ଜିଏସଟିଆଇଏନ୍‌) ସହିତ ଆମଦାନି ରପ୍ତାନି କୋଡ୍‌(ଆଇଇସି)କୁ ଉଲ୍ଲେଖ କରିବା ବାଧ୍ୟତାମୂଳକ।

• ଜିଏସ୍‌ଟି ନେଟଓ୍ଵାର୍କରେ ଦିଆଯାଇଥିବା ଅସ୍ଥାୟୀ ପରିଚୟ ନମ୍ବର ବା ଆଇଡିକୁ ମଧ୍ୟ ଟ୍ରାଞ୍ଜିସନ ପିରିଅଡରେ ଘୋଷଣା କରିବାକୁ ହେବ। ଏଣ୍ଟ୍ରିି ବିଲ୍‌ରେ ଘୋଷଣା କରାଯାଇଥିବା ଜିଏସଟି ପଞ୍ଜୀକରଣ ନମ୍ବର ଆଧାରରେ ଆଇଜିଏସଟିରେ ଇନପୁଟ୍‌ କ୍ରେଡିଟ ଟ୍ୟାକ୍ସ ପ୍ରଦାନ କରାଯିବ।

ସରକାର କେତେ ରାଜସ୍ୱ ପାଇବେ ?
୨୦୧୬-୧୭ର ଶେଷ ୯ ମାସରେ ପରୋକ୍ଷ ଟିକସରେ ସରକାରଙ୍କ ରାଜସ୍ୱ ୨୨ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ଜିଏସଟି କାର୍ଯ୍ୟକାରୀ ହେବା ଦ୍ୱାରା ଚଳିତ ଆର୍ଥିକ ବର୍ଷର ଶେଷ ୯ ମାସ ମଧ୍ୟରେ ସରକାରଙ୍କ ରାଜସ୍ୱ ଅଭିବୃଦ୍ଧି ୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଅଭିବୃଦ୍ଧି ଜିଏସଟିରେ କ’ଣ ରହିବ ସେ ନେଇ କିଛି ଆକଳନ ହୋଇନାହିଁ ।

୨୦୧୬-୧୭ରେ ପରୋକ୍ଷ ଟିକସ (କେନ୍ଦ୍ରୀୟ ଉତ୍ପାଦ, ସେବା ଟିକସ ଏବଂ ସୀମା ଶୁଳ୍କ) ବାବଦରେ ସରକାର ୮.୬୩ ଲକ୍ଷ କୋଟି ଟଙ୍କା ପାଇଥିଲେ । ଯଦିଓ ଜିଏସଟିରେ ସରକାରଙ୍କର ଟିକସରେ କୌଣସି ବୃଦ୍ଧି ବା ହ୍ରାସ ହେବନାହିଁ ବୋଲି ଏକ ଆକଳନ ତଥାପି ଏ ନେଇ ସରକାର ନିଶ୍ଚିତ ନାହାନ୍ତି । ଜିଏସଟି ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ କୌଣସି କ୍ଷତି ହେଲେ ପ୍ରଥମ ୫ ବର୍ଷ ପାଇଁ କେନ୍ଦ୍ର ସରକାର ସେହି କ୍ଷତି ଭରଣା କରିବେ।

ଶସ୍ତା ହେବ
ଦୁଇ ଚକିଆ ଯାନ, ବଡ଼ କାର୍‌, ଓଜନ ମେସିନ୍‌, ୟୁପିଏସ୍‌, ଇଲେକ୍‌ଟ୍ରିକ୍‌ ଟ୍ରାନ୍ସଫରମର, ଓ୍ଵାଇଣ୍ଡିଂ ଓୟାର, ଟ୍ରାନ୍ସଫର୍ମର ପ୍ରତିରକ୍ଷା, ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ଦ୍ୱାରା ବ୍ୟବହୃତ ଓ୍ଵାକି ଟକି, ଡାକ ଟିକଟ ଏବଂ ରେଭିନ୍ୟୁ ଟିକଟ, ଆଚାର, ସସ୍‌ , ଲୁଣ, ପିଲାଙ୍କ ଛବି, ଡ୍ରଇଂ ବା କଲର ବୁକ୍‌, ତାସ, କ୍ୟାରମ୍‌ ଏବଂ ଅନ୍ୟାନ୍ୟ ବୋର୍ଡ ଖେଳ ସାମଗ୍ରୀ, ପଲିସ୍‌ ହୋଇ ନଥିବା ମୂଲ୍ୟବାନ ଏବଂ ଅର୍ଦ୍ଧ ମୂଲ୍ୟବାନ ପ୍ରସ୍ତର, କଂଟାକ୍ଟ ଲେନ୍‌ସ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ, ଲୁହାପଥର, ଔଷଧ, ହାତ ତିଆରି ସଙ୍ଗୀତ ଉପକରଣ

ମହଙ୍ଗା ହେବ
ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁ, ବ୍ୟାଙ୍କିଙ୍ଗ କାରବାର, ବୀମା, ମ୍ୟୁଚୁଆଲ୍‌ ଫଣ୍ଡ୍‌, ମୋବାଇଲ୍‌ ଫୋନ୍‌ ବିଲ୍‌, ଟ୍ୟୁୃସନ୍‌ ଫି’, ସେଲୁନ୍‌, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ, ଫ୍ଲାଟ୍‌ ଏବଂ ଦୋକାନ ଘର, ବଟର, ଟିଭି, ୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଜୋତା, ସୁନା,କର୍ଣ୍ଣ ଫ୍ଲେକ୍ସ, ଜାମ୍‌, ହାତ ଘଣ୍ଟା, ଡବା ଶିଶୁ ଖାଦ୍ୟ, ଛୋଟ କାର୍‌, ମଧ୍ୟମ ଧରଣର କାର୍‌ (୧୫୦୦ ସିସିରୁ କମ୍‌)