ଗଣମାଧ୍ୟମରୁ ହିଁ ମିଳିଲା ଗଣମାଧ୍ୟମ ପ୍ରତିନିଧିଙ୍କ ହତ୍ୟା ଖବର ! ଟିଭି ଦେଖି ସ୍ୱାମୀ ମୃତ୍ୟୁର ଖବର ପାଇଲେ ଅଚ୍ୟୁତାନନ୍ଦଙ୍କ ସ୍ତ୍ରୀ

ଅଫେରା ଦୁନିଆରେ ଅଚ୍ୟୁତାନନ୍ଦ ! 

313

ବନ୍ଧୁକ ମୁନରେ କେବେ ହେଲେ ଗଣମାଧ୍ୟମର ସ୍ୱରକୁ ଚପାଇ ଦିଆଯାଇପାରିବ ନାହିଁ । ସବୁଦିନ ଗଣମାଧ୍ୟମ ଲୋକଙ୍କ ପାଇଁ କାମ କରିଚାଲିଥିବ । ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କଲେ ମଧ୍ୟ ବନ୍ଦ ହେବନି ଲେଖନୀ । ଲୋକଙ୍କୁ ସଠିକ ଖବର ପହଞ୍ଚାଇବା ପାଇଁ ପ୍ରତିଦିନ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇଦିଅନ୍ତି । କିନ୍ତୁ ପ୍ରତିବଦଳରେ ଗଣମାଧ୍ୟମର ଗଳାରୋଧ କରିବା ପାଇଁ ଚାହିଁଲେ ଆମ ସମାଜ ତଥା ଦେଶର ଭବିଷ୍ୟତ କ’ଣ ହେବ ? ସୂଚନାଯୋଗ୍ୟ ନକ୍ସଲ ଆକ୍ରମଣରେ ଗତକାଲି ପ୍ରାଣ ହରାଇଥିଲେ ଦୂରଦର୍ଶନର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡା ତାଙ୍କ ପୈତୁକ ଘର । ଆଜି ଅଚ୍ୟୁତାନନ୍ଦଙ୍କ ମରଶରୀର ଗାଁରେ ପହଁଚିବା ପରେ ଅମର ରହେ ଅଚ୍ୟୁତ ଧ୍ୱନିରେ କମ୍ପିଥିଲା ଜନ୍ମମାଟି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । 

ଅଚ୍ୟୁତାନନ୍ଦଙ୍କ ସ୍ତ୍ରୀ କହିଛନ୍ତି ସେ ଗଣମାଧ୍ୟମ ଜରିଆରେ ହିଁ ଜାଣପାରିଥିଲେ ସ୍ୱାମୀ ମୃତ୍ୟୁର ଖବର । ପ୍ରାୟ ଦିନ ୧୨.୩୦ରୁ ୧ ଟା ବେଳେ ସେ ଟିଭି ଦେଖି ଜାଣିପାରିଥିଲେ ତାଙ୍କ ସ୍ୱାମୀ ନକ୍ସଲ ଗୁଳିରେ ପ୍ରାଣ ହରାଇଛନ୍ତି । କାମ ଯିବା ପୂର୍ବରୁ ଅଚ୍ୟୁତାନନ୍ଦ  ସ୍ତ୍ରୀଙ୍କ ସହ ସକାଳ ୮ .୧୫ ରେ କଥା ହୋଇଥିଲେ । ଆଉ କାମ ଶେଷ କରି ଆସିଲେ କଥାହେବି ବୋଲି କହିଯାଇଥିଲେ ଯେ ଆଉ ଫେରିଲେ ନାହିଁ । ଅଫେରା ଦୁନିଆକୁ ଚାଲିଗଲେ ଅଚ୍ୟୁତାନନ୍ଦ । ତାଙ୍କ ସ୍ତ୍ରୀ କହିଛନ୍ତି ସେ ତାଙ୍କ କାମ ପାଇଁ ବେଶ୍ ଉସ୍ୱର୍ଗୀକୃୃତ ଥିଲେ । କାମ ପାଇଁ ଦିନ ରାତି  ଏକ କରିଦେଉଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ନକ୍ସଲ ଦମନ ନିହାତି ଦରକାର ବୋଲି କହିଛନ୍ତି ଅଚ୍ୟୁତାନନ୍ଦଙ୍କ ସ୍ତ୍ରୀ । ସେ କହିଛନ୍ତି ସାଧାରଣ ଲୋକେ ହିଁ ନକ୍ସଲ ଆକ୍ରମଣ ଶିକାର ହେଉଛନ୍ତି । ସରକାର ଏଥିପାଇଁ ଶୀଘ୍ର ପଦକ୍ଷେପ ନେବା ଦରକାର  । ସୂଚନାଯୋଗ୍ୟ ୨୦୧୬ରେ ଫେବୃୟାରୀରେ ବିବାହ କରିଥିଲେ ଅଚ୍ୟୁତାନନ୍ଦ । ଗତ ଫେବୃୟାରୀରେ ଉଭଙ୍କର ତୃତୀୟ ବିବାହବାର୍ଷିକୀ ପାଳନ ହୋଇଥିଲା ।  

ସେପଟେ ପୁଅର ମୃତ୍ୟୁ ପରେ ଅଚ୍ୟୁତାନନ୍ଦଙ୍କ ବାପାଙ୍କ ଆଖିରୁ ଲୁହ ଶୁଖୁନି । ଜଣେ ମାତ୍ର ରୋଜଗାରିଆ ପୁଅ ନକ୍ସଲ ଗୁଳିରେ ପ୍ରାଣ ହରାଇବା ନିଜକୁ ସମ୍ଭଳିପାରୁନାହାନ୍ତି  ଅଚ୍ୟୁତାନନ୍ଦଙ୍କ ବାପା । କଥା କହୁ କହୁ କାନ୍ଦି ପକାଉଛନ୍ତି । ଅଚ୍ୟୁତାନ୍ଦ ହିଁ ଘରର ଜଣେ ରୋଜଗାରିଆ ମଣିଷ ଥିଲେ । ପ୍ରାୟ ୧୫ ଦିନ ପୂର୍ବରୁ ସେ ପୁଅ ସହ କଥା ହୋଇଥିଲେ ବୋଲି କହିଛନ୍ତି  । ଦାନ୍ତେୱାଡ଼ା ଯିବେ ବୋଲି ସେ ପୂର୍ବରୁ ଘରେ କହିଥିିଲେ । କିଛି ଦିନ ପରେ ତାଙ୍କ ମା’ଙ୍କର ଅସ୍ତ୍ରୋପଚାର ହୋବର ଥିଲା । କାମ ଶେଷକରି ଆସିଲେ ମା’କୁ ମେଡ଼ିକାଲ ନେଇକି ଯିବେ ବୋଲି କହିଥିଲେ ଅଚ୍ୟୁତ । ହେଲେ ଭଗବାନଙ୍କ ଇଚ୍ଛା ଥିଲା ଭିନ୍ନ । ସମାଜ ସେବାରେ ଜୀବନ ବିତାଉତିବା ମଣିଷ ଏପରି ଅସମୟରେ ଚାଲିଯିବେ କିଏ ଜାଣିଥିଲା । 

ସୂଚନାଯୋଗ୍ୟ ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଏହି ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା ।