ରାଗିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ତଥ୍ୟ ଲିକ ହେବାରୁ ଜାହିର କଲେ ଅସନ୍ତୋଷ

ନଭେମ୍ବର ୨୯ରେ ପରବର୍ତୀ ଶୁଣାଣି

147

କନକ ବ୍ୟୁରୋ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଘୁଂଚିଲା ଶୁଣାଣି । ଆସନ୍ତା ୨୯ ତାରିଖକୁ ଶୁଣାଣି ଘୁଂଚାଇଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କ ଜବାବ ଲିକ ହେବାରୁ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଶୁଣାଣି ଟାଳିଦେଇଛନ୍ତି ସର୍ବୋଚ୍ଚ ଅଦାଲତ୍ । ଆଜି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି ପାଇଁ ସକାଳ ୧୦ଟା ୩୦ମିନିଟରେ ଶୁଣାଣି ଆରମ୍ଭ ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗଇ କୋର୍ଟରେ ପହଁଚିବା ପରେ କହିଥିଲେ ଯେ ଆଜି ଆଉ କୌଣସି ମାମଲାରେ ଶୁଣାଣି ହେବନାହିଁ,କେବଳ ସିବିଆଇ ମାମଲାର ଶୁଣାଣି ହେବ ।

ଆଲୋକ ବର୍ମାଙ୍କ ଜବାବ ମିଡିଆରେ ଲିକ ହେବାରୁ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗାଗୋଇ । ବନ୍ଦ ଲଫାଫାରେ ଜବାବ ଦାଖଲ ହୋଇଥିଲା ଏହା କିପରି ଲିକ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାପରେ ଶୁଣାଣିକୁ ୨୯ ତାରିଖକୁ ଟାଳି ଦେଇଛନ୍ତି । ଗତକାଲି ଆଲୋକ ବର୍ମା ସିଭିସି ରିପୋର୍ଟ ଆଧାରଣ ନିଜର ଜବାବ ରଖିଥିଲେ । ଏକ ଅନଲାଇନ ପୋର୍ଟାଲରେ ବର୍ମାଙ୍କ ଜବାବ ଲିକ ହୋଇଥିବାରୁ ଏନେଇ ଖପ୍ପା ହୋଇଯାଇଛନ୍ତି ଜଷ୍ଟିସ ଗୋଗଇ ।

ସେପଟେ ସିବିଆଇ ବିବାଦ ମାମଲାରେ ଆସିଛି ନୂଆ ଟୁଇଷ୍ଟ । ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ଏବେ ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନାଁ ସାମ୍ନାକୁ ଆସୁଛି । ଏନଏସଏ ଓ ସିଭିସି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତରେ ହସ୍ତକ୍ଷେପ କରିଥିବା ନେଇ ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା ଅଭିଯୋଗ କରିଛନ୍ତି । ଏନଏସଏ, ସିଭିସି ଓ କୋଇଲା ରାଜ୍ୟ ମନ୍ତ୍ରୀ ହରିଭାଇ ଚୌଧୁରୀଙ୍କ ନାଁ ସାମ୍ନାକୁ ଆଣିଥିଲେ ସିହ୍ନା । ଏମାନେ ସମସ୍ତେ ରାକେଶ ଆସ୍ଥାନାଙ୍କ ମାମଲାକୁ ରୋକିବାରେ ହସ୍ତକ୍ଷପ କରୁଥିବା ସିହ୍ନା ଅଭିଯୋଗ କରିଛନ୍ତି । ସେପଟେ ସିହ୍ନାଙ୍କ ଏଭଳି ଅଭିଯୋଗକୁ ନେଇ କେନ୍ଦ୍ରମନ୍ତ୍ରୀ ହରିଭାଇ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସିହ୍ନାଙ୍କ ସମସ୍ତ ଅଭିଯୋଗ ନିରାଧାର । ଯଦି ସିହ୍ନା ଆଣିଥିବା ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ ତାହେଲେ ମୁଁ ରାଜନୀତି ଛାଡିଦେବୀ ବୋଲି ଚୌଧୁରୀ କହିଛନ୍ତି ।
ସିବିଆଇ ବିବାଦରେ ନୂଆ ଖୁଲ୍ଲାସା ହେବା ପରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରତିବାଦର ସ୍ୱରକୁ ଆହୁରି ତୀବ୍ର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଟୁଇଟ କରି ରାହୁଲ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଅଫିସର ଥକିଗଲେ ଏବଂ ଲୋକତନ୍ତ୍ର କାନ୍ଦୁଛି । ଦିଲ୍ଲୀରେ ଚୌକିଦାର ହିିଁ ଚୋର କ୍ରାଇମ୍ ଥ୍ରୀଲର ଚାଲିଥିବା ରାହୁଲ ଅଭିଯୋଗ କରିଛନ୍ତି । ରାହୁଲଙ୍କ କହିବା କଥା ଏହି ଥ୍ରୀଲରର ନୂଆ ଏପିସୋଡ ଅନୁଯାୟୀ ସିବିଆଇ ଡିଆଇଜିଙ୍କ ଦ୍ୱାରା ଜଣେ ମନ୍ତ୍ରୀ,ଏନଏସଏ,ଆଇନ ସଚିବ ଓ କ୍ୟାବିନେଟ ସଚିବଙ୍କ ବିରୋଧରେ ଅଭିଯୋଗ ରହିଛି ।