ପାକିସ୍ତାନର ପତାକା ପିନ୍ଧି ସୋସିଆଲ୍ ମିଡିଆରେ ୧୧ ଜଣ ଯୁବକ ଛାଡିଥିଲେ ଫଟୋ ! ଦେଶଦ୍ରୋହି କହି ଛେଚିଲେ ଲୋକ,ଗିରଫ କଲା ପୋଲିସ୍ ।

376

ଝାରଖଣ୍ଡର ଧନବାଦ୍ ଜିଲ୍ଲାରେ ପାକିସ୍ତାନୀ ପତାକାରେ ପ୍ରସ୍ତୁୂତ ଟି-ସାର୍ଟ ପିନ୍ଧିଥିବା ୧୧ ଜଣ ଯୁବକଙ୍କ ଫଟୋକୁ ସୋସିଆଲ୍ ମିଡିଆରେ ଦେଖିବା ପରେ ଉକ୍ତ ଯୁବକଙ୍କ ନାଁରେ ଦେଶଦ୍ରୋହର ମାମଲା ଲାଗିଛି । ପୋଲିସ୍ ଅଧ୍ୟକ୍ଷ ଅମନ୍ କୁମାର ଏନେଇ କହିଛନ୍ତି ଉକ୍ତ ଫଟୋରେ ସନ୍ଦିଗ୍ଧ ଭଳି ନଜର ଆସୁଥିବା ୫ ଜଣ ଯୁବକଙ୍କୁ ବୁଧବାର ଗିରଫ କରାଯାଇଛି । ତେବେ ପୋଲିସ୍ ଗିରଫ ହୋଇଥିବା ଯୁବକଙ୍କ ବିଷୟରେ କିଛି ପ୍ରତିକ୍ରିୟା ଜାହିର କରିନାହିଁ । କୁମାରଙ୍କ କହିବାନୁସାରେ ଏହି ଫଟୋକୁ ନେଇ ସାରା ଅଞ୍ଚଳରେ ଆକ୍ରୋଶ ଖେଳେଇ ଯିବା ପରେ ଜିଲ୍ଲା ପ୍ରଶାସନ ମଙ୍ଗଳବାର ସନ୍ଧ୍ୟା ବୈଦ୍ୟପୁର ଗ୍ରାମରେ ଧାରା ୧୪୪ ଲାଗୁ କରିଥିଲେ ।

ଏସପିଙ୍କ କହିବାନୁସାରେ ମଙ୍ଗଳବାର ପାକିସ୍ତାନରେ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳର ନିରସା ବ୍ଲକର କିଛି ଲୋକ ଉତ୍ସବ ମନାଉଥିଲେ ଏବଂ ଉକ୍ତ ସମୟରେ ସୋସିଆଲ୍ ମିଡିଆରେ ଏଭଳି ଫଟୋ ଦେଖି ଚକିତ ହୋଇଯାଇଥିଲେ । ଏହାପରେ ଗ୍ରାମବାସୀ ମିଶି ଉକ୍ତ ୧୧ ଜଣ ଯୁବକଙ୍କ ଘରକୁ ଘେରିବା ସହ ଭଙ୍ଗାଭଙ୍ଗି ବି କରିଥିଲେ । ପୋଲିସକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡିଥିଲା ।