କୃଷି ଆଇନକୁ ବିରୋଧ କରି ଆଜି ସକାଳୁ ସଂଧ୍ୟା ଯାଏଁ ଅଖଚକ ପୂରା ଜାମ୍: ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ରରେ ଜନଜୀବନ ପ୍ରଭାବିତ; ଦିଲ୍ଲୀରେ ଦିନ ୧୧ଟାରେ କୃଷକ କରିବେ ଆନ୍ଦୋଳନ

ବନ୍ଦକୁ କଂଗ୍ରେସ ବାମଦଳ ସମେତ ୧୮ ବିରୋଧୀ ଦଳର ସମର୍ଥନ

125

କନକ ବ୍ୟୁରୋ: କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଥିବା କୃଷକମାନେ ସକାଳେ ସମବେତ ପ୍ରାର୍ଥନା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ କୃଷି ସଂଗଠନଗୁଡିକୁ ଅନୁରୋଧ କରିବା ସହ ବନ୍ଦ ପାଳନକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଦିଲ୍ଲୀରେ ଦିନ ୧୧ଟାରୁ କୃଷକମାନେ ଆନ୍ଦୋଳନ କରିବେ । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବାମ ଦଳ ବନ୍ଦ ପାଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ୟାନର ପ୍ଲାକାର୍ଡ ଧରି ବାମ ଦଳର କର୍ମୀମାନେ ରାସ୍ତାକୁ ଆସି ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ରାସ୍ତା ଅବରୋଧ କରିଛନ୍ତି ।

ସେପଟେ ମହାରାଷ୍ଟ୍ର ବି ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ବୁଲଧନା ଠାରେ କୃଷକ ସଂଗଠନର କର୍ମୀମାନେ ରେଳ ରୋକ କରିଛନ୍ତି । ପଶ୍ଚିମବଙ୍ଗର କୋଲକାତା, ସିଲିଗୁଡିରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବାମଦଳର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । କୋଲକାତା ଠାରେ ରେଳରୋକ କରିଛନ୍ତି ବାମ ଦଳର କର୍ମୀ । ସେପଟେ ବିହାରର ପାଟନାରେ ବନ୍ଦ ପାଳନର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି । ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସହ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାପ ପକାଇବାକୁ ଏହି ବନ୍ଦ ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରୁ ବନ୍ଦ ପାଳନର ଦୃଶ୍ୟ ଆସୁଛି ।

କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ ବନ୍ଦକୁ ସମର୍ଥନ ଜଣାଇଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ୧୦ଟି ଟ୍ରେଡ ୟୁନିୟନ ସହିତ ଅନ୍ୟାନ୍ୟ ସଂଗଠନ ମଧ୍ୟ ଚାଷୀଙ୍କ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି । ଚାଷୀ ସଂଗଠନର ବନ୍ଦ ପାଳନ ଫଳରେ ପ୍ରଭାବିତ ହେବ କ୍ଷୀର, ଫଳ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ । ତେବେ ଆମ୍ବୁଲାନ୍ସ, ଅଗ୍ନିସମ, ହସ୍ପିଟାଲ ଚିକିତ୍ସା ଏବଂ ଔଷଧ ଦୋକାନ ଭଳି ଜରୁରୀ ସେବା ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି ।