ଭୁବନେଶ୍ୱରରେ ବନ୍ଦର ପ୍ରଭାବ: ରାଜଧାନୀରେ ରେଳରୋକ, ବାଲେଶ୍ୱରରେ ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ; ଜାରି ରହିବ ଆମ୍ବଲାନ୍ସ ଭଳି ଜରୁରୀ ସେବା

92

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିଲା । ସେହିପରି ଷ୍ଟେସନରେ ବ୍ୟାନର ପ୍ଲାକାର୍ଡ ଧରି କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବା ପାଇଁ ଯାଉଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ଯାତ୍ରୀ ଫସି ରହିଥିଲେ । ତେବେ ରେଳବାଇ ପୁଲିସ ବିକ୍ଷୋଭକାରୀଙ୍କୁ ରେଳ ଧାରଣା ଉପରୁ ହଟାଇବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଛି ।

ସେପଟେ ରାଜଧାନୀର ଏଜି ସ୍କୋୟାରରେ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି ସିପିଆଇ, ଏଆଇଟିୟୁସି, ବିକେଏମୟୁ । କର୍ମୀମାନେ ବ୍ୟାନର ପୋଷ୍ଟର ଧରି ମାଷ୍ଟର କ୍ୟାଂଟିନ ଛକରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେହିପରି ଜନସାଧାରଣଙ୍କୁ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ।

ବନ୍ଦର ପ୍ରଭାବ ଜୟଦେବବିହାର ଛକରେ ଦେଖିବାକୁ ମଳିଛି । ଚାଷୀ ଆନ୍ଦୋଳନ ପାଇଁ ଜୟଦେବ ବିହାର ଛକରେ ମଧ୍ୟ ଅଟକି ରହିଛି ୫ଶହରୁ ଅଧିକ ଗାଡ଼ି । ଯାତାୟତରେ ବାଧାପ୍ରାପ୍ତ ହୋଇଛି । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

କଟକରେ ବନ୍ଦର ପ୍ରଭାବ ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ସେହିପରି ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିଛି ।