ରଖେ ହରି ତମ ମାରେ କିଏ ! ୧୨ଘଣ୍ଟା ପରେ ବୋରୱେଲରୁ ଜୀବିତ ଉଦ୍ଧାର ହେଲା ୨ ବର୍ଷର ବାଳକ , ସଂପୂର୍ଣ୍ଣ ସୁସ୍ଥ ଥିବା ସୂଚନା

41

କନକ ବ୍ୟୁରୋ: କଥାରେ ଅଛି ରଖେ ହରି ତ ମାରେ କିଏ । ତେଣୁ ମୃତ୍ୟୁ ପୂର୍ବରୁ ମୃତ୍ୟୁକୁ ବି ମାତ ଦିଆଯାଇପାରେ । ବିଶ୍ୱାସ ହେଉନଥିଲେ ବି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ । ଯେଉଁଠି ଜଣେ ୨ବର୍ଷୀୟ ବାଳକ ୧୨ ଘଣ୍ଟା କାଳ ଏକ ବୋରୱେଲରେ ଫସି ରହିବା ପରେ ଶେଷରେ ତାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଉମାଦିଭରମ ଗାଁ । ଗତକାଲି ଯେତେବେଳେ ସମସ୍ତେ ସ୍ୱାଧୀନତା ଦିବସ ପାଳନରେ ବ୍ୟସ୍ତ ଥିଲେ ସେତେବେଳେ ଏହି ଗାଁରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଗାଁର ଆନ୍ନାମଲୁରୀ ଚନ୍ଦ୍ରଶେଖର ଖେଳୁଥିବା ବେଳେ ଅସାବଧାନତାବଶତଃ ଏକ ୧୦୦ଫୁଟ ଗଭୀର ବୋରୱେଲରେ ଖସିପଡିଥିଲା । ପୁଅକୁ ଉଦ୍ଧାର ପାଇଁ ଚିକ୍ରାର କରିଥିଲେ ବାପାମା । ଆଉ ଏହି ଚିକ୍ରାର ଶୁଣି ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଗାଁ ଲୋକେ । ଚାହୁଁ ଚାହୁଁ ଏହି ଖବର ଚାରିଆଡେ ପ୍ରଚାର ହୋଇଗଲା । ସମସ୍ତେ ଛୁଆଟିର ଉଦ୍ଧାର କାର୍ଯ୍ୟରେ ଲାଗିପଡିଲେ । ଏହାରି ଭିତରେ ମଝିରେ ମଝିରେ ନିଜ ମା’ର କଥାକୁ ଠଉରାଇପାରୁଥିଲା ଶିଶୁଟି ।

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ରାଜସ୍ୱ ବିଭାଗର ଅଧିକାରୀମାନେ । ଶିଶୁଟିର ଉଦ୍ଧାର ପାଇଁ ସମସ୍ତେ ଆରମ୍ଭ କରିଥିଲେ ପ୍ରୟାସ । ଦୁଇଟି ଶକ୍ତିଶାଳୀ ଜେସିବି ସହାୟତାରେ ବୋରୱେଲର ସମାମନ୍ତରାଳ ଭାବେ ଖୋଳାଗଲା ଆଉ ଏକ କୂଅ । ଶିଶୁଟିର ଶ୍ୱାସକ୍ରିୟାକୁ ଅବ୍ୟାହତ ରଖିବାକୁ ବୋରୱେଲ ମଧ୍ୟକୁ ଅକ୍ସିଜେନ ପମ୍ପ ସଂଯୋଗ କରାଗଲା । ମେଡିକାଲ ଟିମ ଏହି କାର୍ଯ୍ୟ କରୁଥିବା ବେଳେ ଗୁଣ୍ଟୁର ଜିଲ୍ଲାପାଳ କୋନା ଶଶିଧର ଓ ଗ୍ରାମାଞ୍ଚଳ ଏସପି ଆପାଲ୍ଲା ନାଇଡୁ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫକୁ ନିୟୋଜନ ପାଇଁ ନିର୍ଦ୍ଦେଶ ଦେବା ସହିତ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।

ଏହା ଭିତରେ ସଂଧ୍ୟା ହୋଇ ସାରିଥିଲା କିନ୍ତୁ ତଥାପି ଶିଶୁଟି ତାର ମା’ର ଡାକକୁ ଶୁଣି ପ୍ରତିକ୍ରିୟା ଦେଉଥିଲା । ପାଖାପାଖି ରାତି ୭ଟା ବେଳକୁ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଂଚି ମାଇକ୍ରୋ କ୍ୟାମେରା ସହାୟତାରେ ଫସି ରହିଥିବା ଶିଶୁଟିର ଗତିବିଧୀ ଲକ୍ଷ୍ୟ କରିଥିଲେ । ଶିଶୁଟି ୧୭ ଫୁଟ ଗଭୀରରେ ରହିଥିବା ଜଣାପଡିବା ପରେ ଏକ ରୋବଟିକ ହାତ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା ।

ପୁରା ଉଦ୍ଧାର କାର୍ଯ୍ୟକୁ ନିଜ କାର୍ଯ୍ୟାଳୟରେ ରହି ପ୍ରତ୍ୟକ୍ଷ ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ । ଶିଶୁଟି ଦୀର୍ଘ ୧୨ଘଣ୍ଟା କାଳ ବୋରୱେଲ ମଧ୍ୟରେ ଫସି ରହି କାନ୍ଦୁଥିବା କାରଣରୁ ଦୁର୍ବଳ ହୋଇପଡିଥିଲା । ଉଦ୍ଧାର ପରେ ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇ ସ୍ୱାସ୍ଥାବସ୍ଥା ଯାଂଚ କରାଯାଇଥିଲା । ପରେ ସେ ସୁସ୍ଥ ଥିବା କାରଣରୁ ଘରକୁ ପଠାଇ ଦିଆଯାଇଛି ।