ସିଂହଦ୍ଵାର ଆଗରେ ମୁଣ୍ଡିଆ ମାରୁ ମାରୁ ଚାଲିଗଲା ଜୀବନ ! ଭଉଣୀର ସତ୍କାର ପରେ ନିଜେ ଜଳିଲେ ଜୁଇରେ

35

କନକ ବ୍ୟୁରୋ: ଭଉଣୀର ଶେଷକୃତ୍ୟ ପାଇଁ ଆସି ନିଜେ ଆଖି ବୁଜି ଦେଲେ। ଭଉଣୀର ସତ୍କାର ପରେ ନିଜେ ଜୁଇରେ ଜଳିଲେ। ସିଂହଦ୍ଵାର ଆଗରେ ମୁଣ୍ଡିଆ ମାରୁ ମାରୁ ଭଣଜା ଆଗରେ ଜୀବନ ଚାଲିଗଲା। ବାଲେଶ୍ୱରର ଭାଇଭଉଣୀଙ୍କ ଦୁଃଖଦ ମୃତ୍ୟୁ ଗତକାଲି ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ମୃତ ଭାଇ ଓ ଭଉଣୀ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ବ୍ରଜକିଶୋର ସାହୁ(୭୫) ଓ ବାସନ୍ତୀ ସାହୁ(୮୦)।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଘୁସୁରିଗୋଡ଼ିଆ ଗାଁର ସୁରେନ୍ଦ୍ର ସାହୁଙ୍କ ସ୍ତ୍ରୀ ବାସନ୍ତୀଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ଭାଇ ବ୍ରଜକିଶୋର ଓ ପରିବାରବର୍ଗ ବାସନ୍ତୀଙ୍କ ମୃତଦେହକୁ ଧରି ଶେଷକୃତ୍ୟ ପାଇଁ ସ୍ୱର୍ଗଦ୍ଵାର ଆଣିଥିଲେ। ସାଙ୍ଗରେ ମୃତ ବଡ଼ ଭଉଣୀଙ୍କ ପୁଅ ତଥା ଭଣଜା ସନ୍ତୋଷ କୁମାର ସାହୁ ବି ଥିଲେ। ଗତକାଲି କାଳେ ସ୍ୱର୍ଗଦ୍ଵାରରେ ଭଉଣୀର ଶେଷକୃତ୍ୟ ପରେ ମାମୁଁଭଣଜା ଓ ଅନ୍ୟ ପରିବାରବର୍ଗ ସମୁଦ୍ରରେ ବୁଡ଼ ପକାଇଥିଲେ। ସେଠାରୁ ମାମୁଁଭଣଜା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ।

ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ଦୁଇଜଣ ସିଂହଦ୍ଵାର ସମ୍ମୁଖରେ ମୁଣ୍ଡିଆ ମାରୁଥିବା ବେଳେ ହଠାତ୍ ମାମୁଁ ବ୍ରଜକିଶୋର ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ବ୍ରଜକିଶୋରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାରେ ଥିବା ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ପରେ ପୁଣି ବ୍ରଜକିଶୋରଙ୍କ ମୃତଦେହକୁ ସ୍ୱର୍ଗଦ୍ଵାର ନେଇ ଶେଷକୃତ୍ୟ କରାଯାଇଥିଲା।