କେଉଁଠୁ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ? ରାଜ୍ୟ ବିଜେପି କହିଲା, ମୋଦି ପୁରୀରୁ ନିର୍ବାଚନ ଲଢିବାର ୯୦ ପ୍ରତିଶତ ରହିଛି ସମ୍ଭାବନା ।

375

କନକ ବ୍ୟୁରୋ : ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ କେଉଁଠୁ ପ୍ରାର୍ଥୀ ହେବେ, ଏନେଇ ରହିଛି ସାରା ଦେଶର ନଜର । ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବା ନେଇ ଆଶାବାନ୍ଧି ବସିଛି ରାଜ୍ୟ ବିଜେପି । ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ସାକ୍ଷାତକାରରେ ଏହି ପ୍ରସଙ୍ଗ ସ୍ଥାନ ପାଇବା ପରେ ପୁଣିଥରେ ସରଗରମ ହୋଇଛି ଏହି ଆଲୋଚନା । ରାଜ୍ୟ ବିଜେପି ନେତା କହିଛନ୍ତି, ପୁରୀରେ ମୋଦୀ ପ୍ରାର୍ଥୀ ହେବା ସମ୍ଭାବନା ୯୦ ପ୍ରତିଶତ ରହିଛି, ହେଲେ ଏନେଇ ନିଷ୍ପତି ନେବ ଦଳର ସଂସଦୀୟ ବୋର୍ଡ ।

ପୁରୀରେ ନିର୍ବାଚନ ଲଢ଼ିବେ ମୋଦୀ ? ନୂଆବର୍ଷ ଆରମ୍ଭରୁ ପୁଣି ସରଗରମ ହୋଇଛି ରାଜନୀତିର ସବୁଠୁ ବଡ଼ ଚର୍ଚ୍ଚା । ନୂଆବର୍ଷରେ ଦେଇଥିବା ସାକ୍ଷାତକାରରେ ଏହି ପ୍ରଶ୍ନର କିଛି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ପ୍ରଧାନମନ୍ତ୍ରୀ । ତେବେ ଏପରି ଭାବେ ପ୍ରଧାନମନ୍ତ୍ରୀ ଉତ୍ତର ରଖିଛନ୍ତି, ଯାହା ଚର୍ଚ୍ଚାକୁ ଆହୁରି ଇନ୍ଧନ ଯୋଗାଇଛି ।

ଏପଟେ ରାଜ୍ୟ ବିଜେପି ନେତା ଆଶା ରଖିଛନ୍ତି, ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ । ବାରଣାସୀ ଭଳି ପୁରୀ ତୀର୍ଥ କ୍ଷେତ୍ର ହୋଇଥିବାରୁ ଏହିଠାରୁ ନିର୍ବାଚନର ବିଗୁଲ ବଜାଇବେ ମୋଦୀ । ତେବେ ପ୍ରଧାନମନ୍ତ୍ରୀ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ, ତା’ର ନିଷ୍ପତି ବିଜେପି ପାର୍ଲିଆମେଂଟାରୀ ବୋର୍ଡ ନେବେ ବୋଲି କହିଛନ୍ତି ବିଜେପି ନେତା ।

ସେପଟେ କିନ୍ତୁ ଏହି ଚର୍ଚ୍ଚାକୁ ଗୁରୁତ୍ୱ ଦେଉନାହିଁ ବିଜେଡି । ମୋଦୀ କେଉଁଠୁ ଲଢିବେ, ତାହା ବିଜେପିର ଦଳୀୟ ବ୍ୟାପାର ବୋଲି କହିଛି ବିଜେଡି । ତେବେ ନବୀନଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ରହିଛି ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ଦଳର ମୁଖପାତ୍ର ସମୀର ଦାସ । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତ ଦଖଲ ଅଭିଯାନରେ ଟାର୍ଗେଟରେ ରହିଛି ଓଡ଼ିଶା । ଏପରିକି ଦଳର ୧୨୦ ମିସନକୁ ସାକାର କରିବାକୁ ସଜବାଜ ହେଉଛି ବିଜେପି । ପୁରୀରୁ ମୋଦୀ ପ୍ରାର୍ଥୀ ହେଲେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ବିଜେପି ଫୋକସ କରିପାରିବ ବୋଲି ଚର୍ଚ୍ଚା ହେଉଛି ।