ଆଉ କେତେ ଦିନ ଝୁଲିବ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି?

77

୪ ବର୍ଷ ହେଲା କେନ୍ଦ୍ରରେ ନିଯୁକ୍ତ ହୋଇପାରୁନାହାନ୍ତି ଲୋକପାଳ । ସେମିତି ଓଡିଶା ସମେତ ୧୨ଟି ରାଜ୍ୟରେ ବି ନାହାନ୍ତି ଲୋକାୟୁକ୍ତ । ଲୋକପାଳ ଓ ଲୋକାୟୁକ୍ତ ନେଇ ୨୦୧୩ରେ ଆଇନ ପ୍ରଣୟନ ହେବା ପରେ ୨୦୧୪ ଜାନୁଆରୀ ୧ରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେଇଥିଲେ । ୨୦୧୪ ଜାନୁଆରୀ ମାସରୁ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଥିବା ସତ୍ତେ୍ୱ ୪ ବର୍ଷ ପରେ ବି ନିଯୁକ୍ତ ହୋଇପାରିଲେ ନାହିଁ ଲୋକପାଳ ।

ଏ ପ୍ରଶ୍ନକୁ ସୁପ୍ରିମକୋର୍ଟକୁ ନେଇଥିଲେ ଜନଲୋକପାଳ ଆନ୍ଦୋଳନର ଅନ୍ୟତମ ସକ୍ରିୟ ସଭ୍ୟ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ । ସୁପ୍ରିମକୋର୍ଟ ଗତ ବର୍ଷ ଏପ୍ରିଲ ୨୭ ତାରିଖରେ କହିଥିଲେ ଯେ ସଂସଦରେ ଗୃହୀତ “ଲୋକପାଳ ଓ ଲୋକାୟୁକ୍ତ ଆଇନ-୨୦୧୩ କାର୍ଯ୍ୟକାରୀ ହୋଇପାରିବା ଭଳି ଏକ ଅତ୍ୟନ୍ତ ଉପାଦେୟ ଆଇନ’’ । ଲୋକସଭାରେ ବିରୋଧୀ ଦଳ ନେତା ନଥିବା ଭଳି କୌଣସି ବୈଷୟିକ ସମସ୍ୟା ନଦେଖାଇ କେନ୍ଦ୍ର ସରକାର ତୁରନ୍ତ ଲୋକପାଳ ନିଯୁକ୍ତ କରନ୍ତୁ । ମୋଦି ସରକାର ସିଭିସି, ସିବିଆଇ ମୁଖ୍ୟ ନିଯୁକ୍ତିରେ ବିରୋଧୀ ଦଳ ନେତାଙ୍କ ପରିବର୍ତେ ସବୁଠାରୁ ବଡ଼ ବିରୋଧୀ ଦଳର ନେତାଙ୍କୁ ବିଭିନ୍ନ ମନୋନୟନ କମିଟିରେ ସଭ୍ୟ ଭାବେ ଗ୍ରହଣ କରିନେବା ପାଇଁ ୨୦୧୪ରୁ ଆଇନରେ ସଂଶୋଧନ ଆଣିଥିଲେ ସୁଦ୍ଧା ଲୋକପାଳ ନିଯୁକ୍ତି କ୍ଷେତ୍ରରେ ତାହାକୁ ସଂଶୋଧନ କରିନଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ବାହାନା ସୁପ୍ରିମକୋର୍ଟରେ ତିଷ୍ଠି ପାରିନଥିଲା । ଶେଷରେ କୋର୍ଟର ଛାଟରେ ମୋଦି ସରକାର ଗତ ମାର୍ଚ୍ଚ ୧ ତାରିଖରେ ଚୟନ କମିଟିର ପ୍ରଥମ ବୈଠକ ଡାକିଲେ । ଏଥିରେ ଲୋକସଭାରେ ସବୁଠାରୁ ବଡ଼ ବିରୋଧୀ ଦଳ-କଂଗ୍ରେସର ନେତା- ମଲ୍ଲିକାର୍ଜୁନ ଖାଡ୍ଗେଙ୍କୁ ସଭ୍ୟ ଭାବେ ନିଆନଯାଇ ଜାଣିଣୁଣି ତାଙ୍କୁ “ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି’’ ଭାବେ ନିମନ୍ତ୍ରଣ କରାଗଲା । ଅନ୍ୟପଟରେ ଏହି ପ୍ରକ୍ରିୟାରେ ତାଙ୍କୁ ପୂର୍ବରୁ ଚୟନ କମିଟି ପାଖକୁ ଆସିଥିବା ନାମ ତାଲିକା ଦିଆଗଲା ନାହିଁ । ବାଧ୍ୟ ହୋଇ ସେ ଏହି ପ୍ରଥମ ଚୟନ କମିଟିର ବୈଠକକୁ ବର୍ଜନ କଲେ ।

ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରାୟ ୯ ବର୍ଷ କାଳ ସେଠାରେ ଲୋକାୟୁକ୍ତ ନିଯୁକ୍ତିକୁ “ବିଭିନ୍ନ ବାହାନା’’ ଦେଖାଇ ଗଡ଼ାଇ ଚାଲିଥିଲେ ବୋଲି ୨୦୧୩ ମସିହାରେ ସୁପ୍ରିମକୋର୍ଟର ବିଚାରପତି ବି. ଏସ୍. ଚୌହାନ ଟିପ୍ପଣୀ ଦେଇଥିଲେ । ନୀତିନ୍ ଗଡ଼କରୀଙ୍କ ସମେତ କେନ୍ଦ୍ରରେ ଥିବା ବର୍ତମାନର ଅନେକ ମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ସଚ୍ଚୋଟ ଓ ଉପରସ୍ତରରେ ଦୁର୍ନୀତି ହେଉନଥିବା ଦର୍ଶାଇ ଲୋକପାଳ ନିଯୁକ୍ତି ପ୍ରସଙ୍ଗକୁ ଏଡ଼ାଇ ଚାଲିଥିଲେ । ପ୍ରଶ୍ନ ଉଠୁଛି, ଆନ୍ନାଙ୍କ ବ୍ୟାପକ ଜନଆନ୍ଦୋଳନକୁ ସମର୍ଥନ କରୁଥିବା ବିଜେପି ଓ କ୍ଷମତାକୁ ଆସିବା ପୂର୍ବରୁ ସଂସଦରେ ଲୋକପାଳ ଓ ଲୋକାୟୁକ୍ତ ବିଲ୍କୁ ପାସ୍ କରିବାରେ ସାହାଯ୍ୟ କରିଥିବା ବିଜେପି ୟା ଭିତରେ କିଭଳି ବଦଳିଗଲା? “ମୁଁ ଲୋକଙ୍କ ଚୌକିଦାର, ନା ଖାଇବି- ନା କାହାକୁ ଖାଇବାକୁ ଦେବି’ ଭଳି ପୂର୍ବରୁ ବିବୃତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଲୋକପାଳ ନିଯୁକ୍ତିକୁ ଡରୁଛନ୍ତି?

୨୦୧୩ ମସିହା ଡିସେମ୍ବର ୧୮ ତାରିଖରେ ସଂସଦରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଗୃହୀତ ହେଲା ପରେ ଓଡ଼ିଶାରେ ୧୮ ବର୍ଷ ହେଲା କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ଉତ୍ତରାଖଣ୍ଡ ପରେ ଦ୍ୱିତୀୟ ରାଜ୍ୟ ଭାବେ ୨୦୧୪ ମସିହା ଫେବ୍ରୁଆରୀ ୧୪ ତାରିଖରେ ଲୋକାୟୁକ୍ତ ଆଇନ ପାସ୍ କଲେ । ୨୦୧୫ ଜାନୁଆରୀରୁ ରାଷ୍ଟ୍ରପତିି ଏହାକୁ ଅନୁମୋଦନ କଲେଣି । ମାତ୍ର ତିନି ବର୍ଷ ପରେ ବି ଓଡ଼ିଶା ସରକାର ଏ ନେଇ ଗେଜେଟ୍ ନୋଟିଫିକେସନ୍ କରି ୬-ଜଣିଆ ଲୋକପାଳ ଗଠନ ପାଇଁ କୌଣସି ଉଦ୍ୟମ କଲେ ନାହିଁ । ଏବେ ବିଧାନସଭାରେ ବିରୋଧୀ ଦଳ ଏହାକୁ ନେଇ ପ୍ରାୟ ୩ ଦିନ ଧରି ବିଧାନସଭା ଅଚଳ କରିବା ପରେ ସୁପ୍ରିମକୋର୍ଟର ରାୟକୁ ଅପେକ୍ଷା କରିଛନ୍ତି ବୋଲି ଏକ ଆଳ ଦେଖାଇଛନ୍ତି ଓଡ଼ିଶା ସରକାର । ମାତ୍ର ନିକଟରେ ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମକୋର୍ଟ ଓଡ଼ିଶା ସମେତ ୧୨ଟି ରାଜ୍ୟରେ କାହିଁକି ଲୋକାୟୁକ୍ତ ନିଯୁକ୍ତ କରାଯାଇନାହିଁ ସେ ନେଇ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଏହିସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଜବାବ ମାଗିଛନ୍ତି । ଦିଲ୍ଲୀ ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଏ ସଂକ୍ରାନ୍ତ ଏକ ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଲୋକପାଳ ନିଯୁକ୍ତି ନେଇ ସମାଜସେବୀ ଆନ୍ନା ହଜାରେ ୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪୩ଥର ଚିଠି ଲେଖିଥିବା କହିଛନ୍ତି । ମାତ୍ର ଥରଟିଏ ବି ସେ ଉତ୍ତର ପାଇନଥିବା ଅଭିଯୋଗ କରିଛନ୍ତି । ତାର ପ୍ରତିବାଦରେ ସେ ଦିଲ୍ଲୀର ରାମଲୀଳା ମଇଦାନରେ ୭ ଦିନ ଧରି ଅନଶନରେ ରହିବା ପରେ ପୁଣି ଥରେ କେବଳ ପ୍ରତିଶ୍ରୁତି ପାଇ ଅନଶନ ଭାଙ୍ଗିଛନ୍ତି । ସୁପ୍ରିମକୋର୍ଟ ଏହି ଆଇନ ଏକ ଅତ୍ୟନ୍ତ ଉପଯୋଗୀ ଆଇନ ବୋଲି ମତ ଦେଇଥିବା ବେଳେ କୌଣସି ସରକାର ଯେ ଦୁର୍ନୀତ ବିରୋଧରେ ଲଢ଼ିବା ପାଇଁ ଇଚ୍ଛାଶକ୍ତି ଜୁଟାଇପାରୁନାହାନ୍ତି- ତାହା ପ୍ରମାଣିତ ହେଉଛି ।
(ଏହି ତଥ୍ୟ ଲେଖକ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ନିଜସ୍ୱ ମତ । ଏଥିରେ କନକ ନ୍ୟୁଜର କୌଣସି ତଥ୍ୟ ରହିନାହିଁ )