ଯବାନଙ୍କୁ ଧର୍ମ ସହ ନଯୋଡିବାକୁ ସେନାର ଚେତାବନୀ ! ଲେଫଟନାଂଟ ଜେନେରାଲ ଦେବରାଜ କହିଲେ, ଦେଶ ପାଇଁ ଜୀବନ ଦେଉଥିବା ସିପାହୀଙ୍କର ନାହିଁ କୌଣସି ଜାତି

47

କନକ ବ୍ୟୁରୋ : ଆର୍ମିକ୍ୟାମ୍ପ ଉପରେ ଆକ୍ରମଣ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ସେନା । ସେନା ପକ୍ଷରୁ କୁହାଯାଇଛି ଯେ, ଏଭଳି ଘଟଣାରେ ନା ଆତଙ୍କବାଦୀ ନିସ୍ତାର ପାଇବେ ନା ସେମାନଙ୍କୁ ସହାୟତା କରିବା ଦେଶ । ପାକିସ୍ତାନକୁ ଇସାରା କରି ସେନା ପକ୍ଷରୁ ଲେଫଟନାଂଟ ଜେନେରାଲ ଦେବରାଜ କହିଛନ୍ତି- ସୀମାରେ ଆତଙ୍କବାଦୀ ଫେଲ ମାରିବା ପରେ ଏବେ ଆର୍ମି କ୍ୟାମ୍ପକୁ ଟାର୍ଗେଟ କରାଯାଉଛି । ସେନାର କଡା ଆଭିମୁଖ୍ୟ ଯୋଗୁଁ ଆତଙ୍କବାଦୀ ଏଭଳି ଆକ୍ରମଣ କରୁଛନ୍ତି ।

ସେ ଆହୁରି କହିଛନ୍ତି, ଉରି ଆତଙ୍କବାଦୀ ଆକ୍ରମଣ ପରେ ବିଭିନ୍ନ କ୍ୟାମ୍ପର ସୁରକ୍ଷା ଲାଗି ୩୬୪ କୋଟି ଖର୍ଚ କରାଯାଇଛି । ତେବେ ସୀମାରେ ହେଉଥିବା ଅନୁପ୍ରବେଶକୁ ରୋକିବାକୁ ହେବ । ସୀମାରେ କଡା ଆଭିମୁଖ୍ୟ ଯୋଗୁଁ ପାକ୍ ମିଡିଆ ଅନୁସାରେ ବର୍ତମାନ ସୁଦ୍ଧା ୧୯୨ ପାକିସ୍ତାନ ଜବାନ ପ୍ରାଣ ହରାଇସାରିଲେଣି । ସୀମାରେ ପ୍ରାୟ ୨ ଶହରୁ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ବି ସେନା କହିଛି । ସୋସିଆଲ ମିଡିଆ ଯୋଗୁଁ ଯୁବପୀଢି ଆତଙ୍କବାଦ ଆଡକୁ ଆକର୍ଷିତ ହେଉଛନ୍ତି ଯୁବବର୍ଗ । ସେନାର କୌଣସି ଧର୍ମ ନାହିଁ । ଯୁବକମାନେ ଆତଙ୍କବାଦ ଆଡକୁ ଆକର୍ଷିତ ହେବା ଚିନ୍ତାର ବିଷୟ ।

ସେପଟେ ଭାରତକୁ ଧମକ ଦେଲା ପାକିସ୍ତାନ । ଭାରତ ଯଦି କୌଣସି ଦୁଃସାହସ କରେ ତେବେ ତାକୁ ତା ନିଜ ଭାଷାରେ ଜବାବ ଦେବ ପାକିସ୍ତାନ । ଏପରି ଧମକ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରମ ଦସ୍ତାଗିର । ଏହା ସହ ଆତଙ୍କବାଦୀଙ୍କୁ କଶ୍ମୀର ସଂଗ୍ରାମୀ ବୋଲି ଆଖ୍ୟା ଦେଇଛନ୍ତି ଦସ୍ତାଗିର । ଆଉ କହିଛନ୍ତି, କଶ୍ମୀର ସ୍ୱାଧିନତା ପାଇଁ ଲଢୁଥିବା ସଂଗ୍ରାମୀଙ୍କ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରୁଛି । କିନ୍ତୁ ଯଦି ଭାରତ ପକ୍ଷରୁ ଏପରି କୌଣସି ପଦକ୍ଷେପ ନିଆଯାଏ ତେବେ ପାକିସ୍ତାନ ଚୁପ୍ ରହିବନି । ଭାରତ ଆମ ଉପରେ ଦୋଷ ଲଦିବା ପରିବର୍ତେ ନିଜ ଦେଶରେ ଚଳାଇଥିବା ଗୁଇନ୍ଦାଗିରି ବନ୍ଦ କରିବା ଉଚିତ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଦସ୍ତାଗିର କହିଛନ୍ତି । ଶ୍ରୀନଗର ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଆବଶ୍ୟକ ବୋଲି କହିଥିଲେ । ଏହାର ଜବାବରେ ପାକିସ୍ତାନ ପକ୍ଷରୁ ଏପରି ପାଲଟା ଧମକ ଦିଆଯାଇଛି ।