ରାଜ୍ୟରେ ଡହ ଡହ ତାତିକୁ ଉତ୍କଟ ଜଳାଭାବ ! ପିଇବା ପାଣି ପାଇଁ ଡହଳ ବିକଳ ଲୋକେ

47

କନକ ବ୍ୟୁରୋ : ଖରା ଆରମ୍ଭରୁ ପିଇବା ପାଣି ପାଇଁ ଡହଳ ବିକଳ ରାଜ୍ୟବାସୀ । ସୁବୁଠି ପାଣି ବିନା ହାହାକାର । ସେ ଉପାନ୍ତ ଅଂଚଳ ହେଉ ବା ଉପକୂଳ ଅଂଚଳ, ସବୁଠି ପାଣି ମୁନ୍ଦାଏ ପାଇଁ ମହିଳାଙ୍କ ମାର୍ଚ । ହାତରେ ବାଲଟି ଗରା ଧରି ମାଇଲ ମାଇଲ ବାଟ ଚଲୁଛି ଝିଅ ବୋହୂ । ନଦୀ ନାଳ ସବୁ ସୁଖିଲା ପଡିଥିବା ବେଳେ ଲୋକଙ୍କ ଶୋଷ ମେଂଟାଉଛି ବାଲିଚୂଆ ।

ଏହିପରି ନାହଇଁ ନଥିବା ଅସୁବିଧା ଭୋଗୁଛନ୍ତି ବୌଦ୍ଧ ହରଭଙ୍ଗା ବ୍ଲକ ସାନକୁଡାସିଙ୍ଗା ଗାଁର ଗ୍ରାମବାସୀ । ଗ୍ରାମବାସୀ ଖରାରୁ ନିସ୍ତାର ପାଉନଥିବା ବେଳେ ପାଣି ଢୋକେ ପାଇଁ ଆଉଟ ପାଉଟ ହେଉଛନ୍ତି । ଜିଲ୍ଲାରେ ପାରଦ ୪୪ଡିଗ୍ରୀ ଉପରେ ଥିବା ବେଳେ ପାଣି ପାଇଁ ଭସରା, ଏକ ମାତ୍ର ଅକାମୀ ନଳକୂଅ । ଆଇରନ ମିଶା ପାଣି ବାହାରୁଥିବା ନଳକୂଅ ପାଖରେ ରାତି ପାହିଲେ ଲାଗୁଛି ଲମ୍ବା ଲାଇନ ।

ଆଉ ଯଦି ଏଠୁ ପାଣି ମୁନ୍ଦାଏ ନମିଳେ, ତେବେ କଥା ସରିଲା । ଗରା, ବାଲଟି ଧରି ଜଙ୍ଗଲିଆ ରାସ୍ତାରେ ଚାଲିବାକୁ ପଡେ ମାଇଲ ମାଇଲ ଦୂର । ଯେଉଁଠି ବାଲିଚୂଆ କରି ପିଇବା ପାଣି ସଂଗ୍ରହ କରନ୍ତି ସାନକୁଡାସିଙ୍ଗା ଗାଁର ମହିଳା । ଏନେଇ ଗ୍ରାମ୍ୟ ଯୋଗାଣ ଅଧିକାରୀ କ୍ୟାମେର ସମ୍ନାରେ ମୁହଁ ଖୋଲିବାକୁ ନାରାଜ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହୁଛନ୍ତି ତୁରନ୍ତ ପଦକ୍ଷେପ ନିଆଯିବ ।

ପଶ୍ଚିମ ଓଡିଶାବାସୀ ମୁଣ୍ଡଫଟା ଖରାରେ ସିଝୁଥିବା ବେଳେ ଜଳାଭାବ ଲୋକଙ୍କ କଷ୍ଟକୁ ବଢାଇ ଦେଇଛି । କେଉଁ ବଣପାହାଡ ଘେରା ଅଂଚଳ ନୁହେଁ, ପୌରପରିଷଦ ଅଧିନରେ ଥିବା ଅଂଚଳରେ ଦେଖାଦେଇଛି ଜଳ ସଂକଟ । ଦେବଗଡ ପୌରାଂଚଳ ୧୦ ନମ୍ବର ଓା୍ୱର୍ଡ ମୁଣ୍ଡା ସାହିର ଲୋକ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ।

ସାହିରେ ନଳକୂପ ଅଛି ହେଲେ ସେଥିରୁ ବାହାରୁଛି କାଦୁଅ ମିଶା ପାଣି । ପିଇବା ପାଣି ଟିକେ ପାଇଁ ହାହାକାର ପଡିଥିବା ବେଳେ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ସେପଟେ ସ୍ଥାନୀୟ ଅଚଂଳରେ ପାଣି ସମସ୍ୟା ରହିଛି ବୋଲି କହିଛନ୍ତି ପୌରପରିଷଦ ନିର୍ବାହୀ ଅଧିକାରୀ ।

ଏଇ ତ ଥିଲା ପଶ୍ଚିମ ଓଡିଶାର କଥା । କେବଳ ପଶ୍ଚିମ ଓଡିଶା ନୁହଁ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି ନଗଡାକୁ ନେଇ ଚର୍ଚ୍ଚିତ ଯାଜପୁର ଜିଲ୍ଲାବାସୀ । ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁକୁ ନେଇ ଚର୍ଚ୍ଚିତ ଜିଲ୍ଲାରେ ପାଣି ଢୋକେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ବଡଚଣା ବ୍ଳକର କମ୍ପିରା ଗାଁର ମହିଳା ପାଣି ପାଇଁ ପ୍ରତିଦିନ ଚାଲୁଛନ୍ତି ୪ କିଲୋମିଟର ବାଟ ।

ଗାଁରେ ନଳକୂଅ ଅଛି ହେଲେ ତାର ଅବସ୍ଥା ଏଭଳି ଯେ, ୫୦ ବର୍ଷ ହେବ ଚୁଆଁରିଆ ନଦୀ ଶଯ୍ୟାରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ । କି ଖରା କି ବର୍ଷା, ପାଣି ଏମାନଙ୍କର ଏକ ସ୍ଥାୟୀ ଦୁଃଖ । ଗାଁର ଝିଅ, ବୋହୁ, ଛୋଟପିଲା, ବୟସ୍କ ସମସ୍ତେ ରାତିପାହିଲେ ଲାଗିପଡନ୍ତି ପାଣି ସଂଗ୍ରହରେ । କମ୍ପିରା ଗାଁରେ ପିଇବା ପାଣି ସମସ୍ୟା ଥିବା କଥା ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଧାୟକ ଅମର ଶତପଥୀ ।