ଚିଲିକା ପାଣିରେ ଓହ୍ଲାଇବ ଉଡାଜାହାଜ ! ନିର୍ମାଣ ହେବ ୱାଟର ଏରୋଡ୍ରୋମ, ସରିଲା ଜାଗା ଚିହ୍ନଟ ।

189

କନକ ବ୍ୟୁରୋ : ଚିଲିକାରେ ହେବ ୱାଟର ଏରୋଡ୍ରୋମ । ପାଣି ଭିତରୁ ପ୍ଲେନରେ ଯାଇହେବ । ଏନେଇ ଗଠିତ ହୋଇଥିବା ସ୍ୱତନ୍ତ୍ର ଟିମ୍ ସର୍ଭେ ଶେଷ କରିଛନ୍ତି । ବାଲୁଗାଁ ପାଶ୍ୱର୍ରେ ଏହି ବିମାନବନ୍ଦର କରିବାକୁ ଯୋଜନା କରାଯାଇଛି । ଏହି ବିମାନବନ୍ଦର ନିର୍ମାଣ ହେଲେ ଦେଶୀ ବିଦେଶୀ ପର୍ଯ୍ୟଟକମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ତେବେ ଗତ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅମ୍ବାଜିଙ୍କ ଦର୍ଶନ ପାଇଁ ଗୁଜୁରାଟ ସାବରମତି ନଦୀର ସର୍ଦ୍ଦାର ବ୍ରିଜ ନିକଟରେ ସି ପ୍ଲେନରେ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଚିଲିକାରେ ମଧ୍ୟ ଅନୁରୂପ ଢଙ୍ଗରେ ଓହ୍ଲାଇବ ବିମାନ । କାରଣ ଏହିଠାରେ ନିର୍ମାଣ ହେବାକୁ ଯାଉଛି ୱାଟର ଏରୋଡ୍ରୋମ । ବିମାନବନ୍ଦର କର୍ତୃପକ୍ଷ, ସ୍ପାଇସ ଜେଟ, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତୃପକ୍ଷ, ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଏନେଇ ସର୍ଭେ କରିଛନ୍ତି । ବାଲୁଗାଁ ନିକଟରେ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଛିା

ବାଲୁ ଗାଁ ପାଶ୍ୱର୍ରେ ପ୍ରାୟ ୫୦୦ଫୁଟର ରନୱେ ନିର୍ମାଣ ହେବ । ପାଣି ଭିତରେ ହେଉଥିବା ଏହି ବିମାନ ବନ୍ଦରରେ ଗୋଟିଏ ଇଞ୍ଜିନ ଥିବା ବିମାନ ଓହ୍ଲାଇବ । ପରେ ଉଡାଣ  ଯୋଜନାରେ ଆରମ୍ଭ ହେବ ବିମାନ ସେବା । ତେବେ ଏହି ବିମାନବନ୍ଦର ନିର୍ମାଣ ଦ୍ୱାରା ଦେଶୀ ବିଦେଶୀ ପର୍ଯ୍ୟଟକମାନେ ବେଶ ଉପକୃତ ହେବେ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଚିଲିକାକୁ ବହୁ ବିଦେଶୀ ପକ୍ଷୀ ଆସୁଥିବାରୁ ବାର୍ଡ ହିଟ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଏହାଛଡା ଇକୋ ସିଷ୍ଟମକୁ ମଧ୍ୟ ବିମାନ ଉଡାଣ ପ୍ରଭାବିତ କରିବାର ଆଶଙ୍କା ରହୁଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଟିମ କି ରାସ୍ତା ବାହାର କରୁଛି ଏବଂ ଏଥିପାଇଁ କ୍ଲିଅରାନ୍ସ ମିଳୁଛି କି ନାଇ ତା ଉପରେ ନିର୍ଭର କରୁଛି ୱାଟର ଏରୋଡ୍ରୋମର ନିର୍ମାଣ ।