ଲୁଣ ଚିକିତ୍ସା ପଡିଲା ମହଙ୍ଗା ! ବୁର୍ଲାରେ ଆଉ ଅସ୍ତ୍ରୋପଚାର କରିବେନି ଅଶ୍ୱିନୀ ପୂଜାହାରୀ ।

252

କନକ ବ୍ୟୁରୋ : ଅପରେସନ୍ କରିବେନି ଭିମସାର ନିର୍ଦ୍ଦେଶକ । ଲୁଣ ଚିକିତ୍ସାକୁ ନେଇ ବିବାଦ ପରେ ଅଶି୍ୱନୀ ପୂଜାହାରୀ ଆଉ ଅପରେସନ୍ କରିବେ ନାହିଁ ବୋଲି ସର୍ଜରୀ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ସେହିପରି ସର୍ଜରୀ ୟୁନିଟ୍ ୱାନ୍ ଦାୟିତ୍ୱ ଛାଡିଦେଇଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । କ୍ୟାନ୍ସର ରୋଗର ଲୁଣ ଚିକିତ୍ସା କରି ବିବାଦୀୟ ହୋଇପଡିଥିଲେ ପୂଜାହରୀ । ଏବେ ଏହି ଘଟଣାରେ ଆସିଛି ନୂଆ ମୋଡ଼ । ଅନ୍ୟପଟେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି  ।

ଭିମସାର ନିର୍ଦ୍ଦେଶକଙ୍କୁ ମହଙ୍ଗା ପଡ଼ିଲା ଲୁଣ ଚିକିତ୍ସା । ବୁର୍ଲାରେ ଆଉ ଅସ୍ତ୍ରୋପଚାର କରିବେନି ଅଶ୍ମିନୀ ପୂଜାହାରୀ । ସର୍ଜରୀ ବିଭାଗର ମୁଖ୍ୟଙ୍କୁ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜହାରୀ ଲେଖିଥିବା ଇଏ ହେଉଛି ସେଇ ଚିଠି, ଯେଉଁ ଚିଠିରେ ଲେଖିଛନ୍ତି, ୟୁନିଟ୍-୧ ସର୍ଜରୀ ବିଭାଗର ଇନଚାର୍ଜ ଦାୟିତ୍ୱରୁ ସେ ଓହରିଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏମିତି କି ଆଉ ଅସ୍ତ୍ରୋପଚାର କରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

ଠିକ୍ ଏମିତି ବେଳେ ଅଶ୍ୱିନୀ ପୂଜାହାରୀଙ୍କ ଏଭଳି ଏକ ଚିଠି ଆସିଛି, ଯେତେବେଳେ ଲୁଣ ଚିକିତ୍ସା ଘଟଣାରେ ଦୋଷୀ  ସାବ୍ୟସ୍ତ ହୋଇଛନ୍ତି ଭିମସାର ନିର୍ଦ୍ଦେଶକ । ଲୁଣ ଚିକିତ୍ସା ନେଇ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଂଚ୍ ପାଇଁ ବୁର୍ଲା ଯାଇଥିଲା । ଆଉ ଏହି ଟିମ୍ ଲୁଣ ଚିକିତ୍ସା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛି ।

କେବଳ ଏତିକି ନୁହେଁ ନିଜର ପରାଜୟ ହୋଇଛି ଏବଂ ଜୁନିୟର ଡାକ୍ତରଙ୍କ ଜୟ ହୋଇଛି ବୋଲି ଖୋଦ୍ କହିଛନ୍ତି ଭିମସାର ନିର୍ଦ୍ଦେଶକ । ଯେହେତୁ ଜୁନିୟର ଡାକ୍ତରଙ୍କ ସମକ୍ଷରେ ପୁରା ଘଟଣାଟି ଯାଇଛି, ତେଣୁ ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଅଶ୍ୱିନୀ ପୂଜାହାରୀ ।

ଲୁଣ ଚିକିତ୍ସା ଏବଂ ଡାକ୍ତରଙ୍କ ପ୍ରତି କଠୋର ଆଭିମୁଖ୍ୟକୁ କେନ୍ଦ୍ରକରି ଦୀର୍ଘ ୨୦ ଦିନ ହେଲା ନିର୍ଦ୍ଦେଶକ ଏବଂ ଜୁନିୟର ଡାକ୍ତରମାନଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଗୋଟିଏ ପଟେ ଜୁନିୟର ଡାକ୍ତର ସଂଘ, ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଜୁନିୟର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରିଆସୁଛି ବୁର୍ଲା ସଚେତନ ନାଗରିକ ମଂଚ ।

ଅଶ୍ୱିନୀ ପୂଜାହାରୀ ଏଣିକି ଚିକିତ୍ସା କରିବେ ନାହିଁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ସତ, କିନ୍ତୁ ନିର୍ଦ୍ଦେଶକ ପଦରେ ପୂର୍ବଭଳି ରହିବେ । ଆଉ ଏସବୁ ଭିତରେ ବଡ କଥା ହେଉଛି ବୁର୍ଲା ମେଡ଼ିକାଲରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ପାଇଁ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ସପକ୍ଷରେ ରହିଛି ସ୍ଥାନୀୟ ଲୋକଙ୍କ ସମର୍ଥନ । ଏମିତିକି ପୂଜାହାରୀଙ୍କ ସମର୍ଥନରେ ବୁର୍ଲା ବନ୍ଦ ଡାକରା ପାଇଁ ନିଷ୍ପତି ହୋଇଛି ।