ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ! କହିଲେ, ତଥ୍ୟ ପ୍ରମାଣ ସହ ଲୁଣ ଚିକିତ୍ସାର ଦେବେ ଉତ୍ତର ।

150

କନକ ବ୍ୟୁରୋ : ଲୁଣ ଚିକିତ୍ସା ନେଇ ବିବାଦୀୟ ହୋଇପଡିଥିବା ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ପୂଜାହାରୀଙ୍କ ସ୍ଥାନରେ ସ୍ପାଇନାଲ ଇଞ୍ଜୁରୀ ସେଂଟର, କଟକର ନିର୍ଦ୍ଦେଶକ ଡାକ୍ତର ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ଭିମସାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେପଟେ ଗତ ୨୧ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଜୁନିୟର ଡାକ୍ତର ଶନିବାର ଅପରାହ୍ନରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାରି ଭିତରେ ପୂଜାହାରୀ କହିଛନ୍ତି, ଉପଯୁକ୍ତ ପ୍ରମାଣ ସହ ଲୁଣ ଚିକିତ୍ସାର ପ୍ରମାଣ ଦେବି ।

‘ଭିମସାର’ ନିର୍ଦ୍ଦେଶକଙ୍କ ଚ୍ୟାଲେଞ୍ଜ । ‘ଲୁଣ ଚିକିତ୍ସା’ର ପ୍ରମାଣ ଦେବେ ପୂଜାହାରୀ । ଗୋଟିଏ ପଟେ ପଶ୍ଚିମ ଓଡିଶାର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ବୁର୍ଲା ବଡ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କ ଲୁଣ ଓ ଲେମ୍ବୁ ଚିକିତ୍ସା । ଅନ୍ୟପଟେ ଏହାକୁ ବିରୋଧ କରି ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ । ସ୍ୱାସ୍ଥ୍ୟ ସେବାକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇ ଦେବାସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ଭିତରେ ସନ୍ତୋଷଜନକ ଉତ୍ତର ରଖିନପାରିଲେ ପରବର୍ତ୍ତୀ ନିଷ୍ପତି ଯାଏଁ ତାଙ୍କୁ ଛୁଟିରେ ରହିବାକୁ କୁହାଯାଇଛି । ସେପଟେ ତାଙ୍କ ଚିକିତ୍ସା ପଦ୍ଧତି ସଂପର୍କରେ ଉପଯୁକ୍ତ ପ୍ରମାଣ ସ୍ୱାସ୍ଥ୍ୟ ବିଭାଗ ସାମ୍ନାରେ ରଖିବେ ବୋଲି ଦୃଢୋକ୍ତି କରିଛନ୍ତି ଡାକ୍ତର ପୂଜାହାରୀ ।

ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଜୁନିୟର ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇଛି । କ୍ୟାନସର ରୋଗୀଙ୍କ ସର୍ଜରୀ ବେଳେ ଲୁଣ ଚିକିତ୍ସାକୁ ତଦନ୍ତକାରୀ କମିଟି ଗ୍ରହଣ କରିନଥିବା ଜଣାପଡିଛି । ଆଉ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ।

ଡାକ୍ତର ପୂଜାହାରୀଙ୍କ ସ୍ଥାନରେ ସ୍ପାଇନାଲ ଇଞ୍ଜୁରୀ ସେଂଟର, କଟକର ନିର୍ଦ୍ଦେଶକ ଡାକ୍ତର ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ଭିମସାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଥିସହ ଗତ ୨୧ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଜୁନିୟର ଡାକ୍ତର ଶନିବାର ଅପରାହ୍ନରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଅନ୍ୟପକ୍ଷରେ ଡାକ୍ତର ପୂଜାହାରୀଙ୍କ ସପକ୍ଷରେ ବାହାରି ଆସିଛନ୍ତି ସମ୍ବଲପୁର ଓ ବୁର୍ଲାର ସ୍ଥାନୀୟ ଲୋକ । ବୁର୍ଲା ବଡ ଡାକ୍ତରଖାନାରେ ତାଙ୍କ ସଂସ୍କାରମୂଳକ କାମକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଆଗାମୀ ସୋମବାର ବୁର୍ଲା ବନ୍ଦ ଡକରା ଦିଆଯାଇଛି ।

ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଛି ।