ମାଲକାନଗିରି ମାଟ୍ରିକ ଖାତା ହଜିବା ଘଟଣାରେ ବଢୁଛି ସସପେନ୍ସ ! ପତ୍ତା ମିଳୁନି କୁଆଡେ ଗଲା ଉତ୍ତର ଖାତା,୨ ଶିକ୍ଷକ ନିଲମ୍ବିତ

70

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ ଉତର ଖାତା ଗାଏବ ଘଟଣାରେ ବଢ଼ୁଛି ସସପେନ୍ସ । ହେଲେ ୪ଦିନ ବିତିଯାଇଥିଲେ ମଧ୍ୟ ଖାତାର ଟେର ମିଳୁନି । ଅନ୍ୟପଟେ ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ତନାଘନା କରୁଛି ପୋଲିସ । ଏହି ଘଟଣା ପାଇଁ ଦୁଇ ଜଣ ଶିକ୍ଷକଙ୍କ ନିଲମ୍ବିତ କରିଛି ଗଣଶିକ୍ଷା ବିଭାଗ । ସେପଟେ ସୁପେରିଟେଣ୍ଡେଂଟ, ଡେପୁଟି ସୁପେରିଟେଣ୍ଡେଂଟ ଠାରୁ ଆରମ୍ଭ କରି ଅବଜର୍ଭର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଡାକି ଥାନାରେ ମାରାଥନ ଜେରା କରାଯାଉଛି । ତେବେ ଶିକ୍ଷକଙ୍କ ମଧ୍ୟରେ ଆପୋସ କଳହ ଯୋଗୁଁ ଏପରି ବିଭ୍ରାଟ ହୋଇ ଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଗତ ଶନିବାର ଗଣିତ ପରୀକ୍ଷା ସମୟରେ ଏହି ଘଟଣା ଘଟିଥିଲା । ଘଟଣା ପରେ ପରେ ବିଇଓ ଗଂଗାଧର ପଟନାୟକ ଓଏମଆର ସିଟ ହଜିବା ନେଇ ପଡିଆ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତି କରି ପୁଲିସ ଓଡ଼ିଶା ପରୀକ୍ଷା ପରିଚାଳନା ଧାନା ଆରଡବ୍ଲୁ ସେକ୍ସନ ୯ ଅନୁଯାୟୀ ଧାରା ୩୭୯/୧୨୦(ଖ) ଆଇପିସିରେ ତଦନ୍ତ ଚଳାଇଛି । ବିଭିନ୍ନ ସ୍ଥାନରେ ଚଢାଉ କରି ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରୁଛି । ଏଭଳି ସାଂଘାତିକ ତ୍ରୁଟି ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।