କିଛି ଘଂଟା ଭିତରେ ଗାଏବ କରିଦିଏ ଟ୍ରକ ! କମିସନରେଟ୍ ପୁଲିସ କବଜାରେ ମୋଷ୍ଟ ୱାଂଟେଡ୍ କାଳିଆ

29

କନକ ବ୍ୟୁରୋ : ଟ୍ରକ ଗୁଡିକୁ ରାସ୍ତା କଡରେ ହିଁ ପାର୍କିଂ କରି ନିଶ୍ଚିନ୍ତ ରହିଥାନ୍ତି ଗାଡ଼ି ମାଲିକ । ସେମାନଙ୍କ ଧାରଣା ଥାଏ, ଏତେ ବଡ଼ ଟ୍ରକକୁ ଚୋରି କରି କେହି ନେଇଯିବେନି ।  ହେଲେ ଟ୍ରକ ମାଲିକମାନଙ୍କ ଏହି ଧାରଣା ସଂପୂର୍ଣ୍ଣ ଭୁଲ । କାହିଁକି ନା ରାଜ୍ୟରେ ମାତିଛନ୍ତି ଟ୍ରକ ଚୋରି ଗ୍ୟାଙ୍ଗ । ଶୁନଶାନ ରାସ୍ତା କଡରେ ଟ୍ରକ ଦେଖିବା ମାତ୍ରେ ହିଁ ଚୋରି କରୁଛନ୍ତି ଏହି ଗ୍ୟାଙ୍ଗ । ଆଉ ମାତ୍ର କେଇ ଘଂଟା ଭିତରେ ସହର ବାହାରକୁ ଚାଲଣ କରି ଦେଉଛନ୍ତି ଏହି ହାଇ ପ୍ରୋଫାଇଲ ଚୋର ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ସାରା ରାଜ୍ୟରେ ଆତଙ୍କ ଖେଳାଇ ଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଭୁବନେଶ୍ୱରରୁ ଖଣ୍ଡଗିରି ଥାନା ପୁଲିସ ଓ ସ୍ପେସାଲ ସ୍କାଡ୍ । ଏ ହେଉଛି ସେହି ଦୁର୍ଦାନ୍ତ ଟ୍ରକ ଚୋର କାଳିଆ । କଳାକାର କାଳିଆର ହାତ ସଫେଇ କଥା ଶୁଣିଲେ ଆପଣ ତାଜୁବ ହୋଇଯିବେ । ପେସାରେ ଟ୍ରକ ଡ୍ରାଇଭାର । ହେଲେ ଅପରାଧର ତାଲିକା ବେଶ ଲମ୍ବା । କାଳିଆ ନାଁରେ ୩ଟି ଜାମିନ ବିହିନ ଗିରଫ ପରୱାନା ସହ ୧୪ଟି ମାମଲାରେ ଥିଲା ମୋଷ୍ଟ ୱାଂଟେଡ୍ । ଅସ୍ତରଙ୍ଗରେ ଦିପ୍ତିକାନ୍ତ ମହାନ୍ତି ନାଁରେ କାଳିଆ ବେଶ ଜଣାଶୁଣା ।

ଖାଲି ସେତିକି ନୁହେଁ ଟ୍ରକ ଚୋରି ସହ ଘର ଭିତରେ ପଶି ଡକାୟତି, ବିଚ୍ ରାସ୍ତାରେ ଛିନତାଇ ଓ ବଳାତ୍କାର ଭଳି ସଙ୍ଗୀନ ମାମଲା ରହିଛି ଏହି ହାଇ ପ୍ରୋଫାଇଲ ଗ୍ୟାଙ୍ଗ ଲିଡର ନାଁରେ । ଏହି ଗ୍ୟାଙ୍ଗ ନିକଟରୁ ପୁଲିସ ଗୋଟିଏ ଟ୍ରକ, ଇଣ୍ଡିଗୋ କାର୍, ୨ଟି ବାଇକ୍, ସୁନା- ରୁପା ଗହଣା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଥିବା ବେଳେ ଗ୍ୟାଙ୍ଗର ଆଉ ଦୁଇ ଜଣଙ୍କୁ ଖୋଜୁଛି କମିସନରେଟ୍ ପୁଲିସ ।