ଦାନମାଝୀ ପରେ ତପସ୍ୱିନୀ ! କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ଦରପୋଡା ଝିଅର ବାପାକୁ ମଗା ଯାଇଥିଲା ଲାଂଚ

22

କନକ ବ୍ୟୁରୋ : ଶେଷରେ ଆଖିବୁଜିଲେ କଳାହାଣ୍ଡି ଦୁଷ୍କର୍ମ ପୀଡିତା । ଏ ହେଉଛି ସେହି ନାବାଳିକାଙ୍କ କାହାଣୀ, ଯାହାକୁ ନିଜ ପଡିଶାଘର ଦୁଇଜଣ ପିଲା ଅସଦାଚରଣ କରିବା ପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରଥମେ ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲ, ଏହାପରେ ବୁର୍ଲା, ଶେଷରେ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା ପୀଡିତାଙ୍କୁ ।

୭ ଦିନର ଜୀବନ ସଂଗ୍ରାମ ପରେ ଶେଷରେ ପ୍ରାଣ ହରାଇଛନ୍ତି ନାବାଳିକା । ହେଲେ ଦୁଷ୍କର୍ମ ପୀଡିତାଙ୍କୁ ହସ୍ପିଟାଲରେ କରାଯାଇଥିବା ବ୍ୟବହାର ନେଇ ମୁହଁ ଖୋଲିଛନ୍ତି ବାପା । ଯାହା ପୁଣିଥରେ ଦାନମାଝୀ ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ।

୩୦ କିଲୋମିଟର ରାସ୍ତା ଅତିକ୍ରମ କରି ଅନ୍ଧାର ରାତିରେ ଦରପୋଡା ଝିଅକୁ ନେଇ ବାପା ଭବାନୀପାଟଣା ଜିଲ୍ଲା ହସ୍ପିଟାଲରେ ପହଂଚିଥିଲେ । ହେଲେ ବର୍ଣ୍ଣ ୱାର୍ଡରେ ବେଡ୍ ନଥିବା ଦର୍ଶାଇ ଡାକ୍ତର ତାଙ୍କୁ ତଳେ ଶୁଆଇ ଦେଇଥିଲେ । ପ୍ରାୟ ୧୨ ଘଂଟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଦିଆଯାଇଥିଲା ବେଡ୍ ।

ଅସଦାଚରଣ ପରେ ହତ୍ୟା ଉଦ୍ୟମର ଶିକାର ହୋଇଥିବା ନାବାଳିକାଙ୍କୁ ସାମାନ୍ୟ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଡ୍ୟୁଟିରେ ଥିବା ନର୍ସ ଲାଂଚ ମାଗିଥିଲେ । ଏ ହେଉଛି ସେହି ଡାକ୍ତରଖାନାର ଲଜ୍ଜାର କାହାଣୀ, ଯେଉଁଠାରୁ ରାତିଅଧିଆ ଦାନମାଝୀ ଆରମ୍ଭ କରିଥିଲେ ଶବ ଶୋଭାଯାତ୍ରା ।

ଗତ ୧୧ ତାରିଖରେ ତପସ୍ୱିନୀ ପୋଖରୀରୁ ଫେରିବା ବେଳେ ପଡିଶା ଘରର ବୁଲୁ ଦାସ ଓ ସାନ ସାହୁଙ୍କ ହାବୁଡରେ ପଡି ଯାଇଥିଲେ । ନିଛାଟିଆ ଜାଗା ଦେଖି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଜୀବନ ବଂଚାଇବାକୁ ସଇତାନଙ୍କ ଠାରୁ ଖସି ଆସିଥିଲେ ତପସ୍ୱିନୀ ।

ଆଉ ଗୋଟି ଗୋଟି କରି ସବୁକଥା କହି ଦେଇଥିଲେ ବାପା ମାଆଙ୍କୁ । ଯାହାର ପରିଣାମ ଥିଲା ମୃତ୍ୟୁ । ସଂଧ୍ୟାରେ ବାପା ମା’ ରୁ ଚାଲିଯିବା ପରେ ବୁଲୁ ଓ ସାନ ସାହୁ ତପସ୍ୱିନୀଙ୍କୁ ତଂଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆଉ ସଫଳ ନହେବାରୁ କିରୋସିନ୍ ଢାଳି ଜାଳି ଦେଇଥିଲେ ।

ଏ ସମ୍ବେଦନଶୀଳ ଘଟଣାକୁ ରେଡ୍ ଫ୍ଲାଗ୍ କେସ୍ ହିସାବରେ ଗ୍ରହଣ କରିଛି କ୍ରାଇମବ୍ରାଂଚ । ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ନେଉଛି ୫ ଦିନିଆ ରିମାଣ୍ଡରେ । ହୁଏତ ଅସମାଜିକଙ୍କୁ ଆଇନ୍ ଦେବ ଦଣ୍ଡ । ହେଲେ ଜୀବନ ମାଗିଥିବା ନାବାଳିକା ଓ ଅସହାୟ ବାପାମାଆଙ୍କ ପାଇଁ ନିର୍ଦ୍ଦୟ ହୋଇ ପଡିଥିବା ହସ୍ପିଟାଲ୍ କତ୍ତୃପକ୍ଷ ବ୍ୟବହାର ପାଇଁ କିଏ ଦେବ ତାଙ୍କୁ ଦଣ୍ଡ ।