ସ୍ୱାଭିମାନ ଅଂଚଳରେ ବଢୁଛି ପର୍ଯ୍ୟଟକଙ୍କ ଭିଡ । ଗୁରୁପ୍ରୀୟା ସେତୁକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପ୍ରକୃତୀ ପ୍ରେମିଙ୍କ ଛୁଟୁଛି ସୁଅ

ଗୁରୁପ୍ରୀୟା ସେତୁକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପ୍ରକୃତୀ ପ୍ରେମିଙ୍କ ସୁଅ ଛୁଟୁଛି

514

କନକ ବ୍ୟୁରୋ : ୨୦୧୮ ଯାଉଛି ଆଉ ଆସୁଛି ୨୦୧୯ । ଏହାରି ଭିତରେ ପ୍ରବଳ ଶୀତରେ ସ୍ୱାଭିମାନ ଅଂଚଳରେ ବଢୁଛି ପର୍ଯ୍ୟଟକଙ୍କ ଭିଡ । ଗୁରୁପ୍ରୀୟା ସେତୁକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପ୍ରକୃତୀ ପ୍ରେମିଙ୍କ ସୁଅ ଛୁଟୁଛି । ଶାନ୍ତ ପରିବେଶ ରେ ଗଭୀର ଜଳ ଭିତରେ ନିରୀହ ଆଦିବାସୀଙ୍କ ଦେଶୀ ଡଙ୍ଗାରେ ମାଛ ଧରା ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।

 

ସୂର୍ଯ୍ୟ ଉଦୟ ଏବଂ ଅସ୍ତର ଚିତ୍ର  ଦେଖିବା ସହ ଜଳଭଣ୍ଡାର ଗର୍ଭରେ ବି.ଏସ.ଏଫ ଯବାନମାନଙ୍କ ପଇଁତରା ମାରିବାର ଦୃଶ୍ୟ ଲୋକମାନଙ୍କୁ ଆନ୍ଦୋଳିତ କରିଛି । ସେଲଫି ନେବା ଲାଗି ଯୁବ ପୀଢିଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି ।

 

ଦିନରେ ଯେତିକି ସୁନ୍ଦର, ସନ୍ଧ୍ୟାରେ ମଧ୍ୟ ଆହୁରି ମନୋରମ ଗୁରୁପ୍ରୀୟା । ସୂର୍ଯ୍ୟ ଉଇଁବା ମାତ୍ରେ ଲାଲିମା ପୁରା ଜଳଭଣ୍ଡାର ସମେତ ପରିବେଶକୁ ସ୍ୱଚ୍ଛ କରି ଦେଉଛି । ଏହି ଦୁର୍ଲଭ ଚିତ୍ର ବହୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ଗୁରୁପ୍ରୀୟାକୁ । ବିଶେଷ କରି ପୋଲ ଉପରେ ଏବଂ ପୋଲ ତଳେ ଲାଗି ଥିବା ଏଲ.ଇ.ଡି ର ପ୍ରତିଫଳନର ଅତ୍ୟନ୍ତ ସୁନ୍ଦର ହୋଇଛି ।

 

ସେହିପରି ଆକାଶ ମାର୍ଗରୁ ଦୁର୍ଲଭ ଚିତ୍ର ଗୁରୁପ୍ରୀୟାର ଶୋଭାକୁ ଦ୍ୱିଗୁଣିତ କରୁଛି । ଗୁରୁପ୍ରୀୟାରେ ବୋଟିଙ୍ଗ ଠାରୁ ଆରମ୍ଭ ହୋଟେଲ, ରିସୋର୍ଟ ପରି ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଦାବି ହୋଇଛି ।

 

ଗତ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁଟିକୁ ଉଦଘାଟନ କରିବା ପରେ ସ୍ୱାଭିମାନ ଅଂଚଳବାସୀଙ୍କ ଚାଲି ଚଳନ ଦେଖିବା ଲାଗି ଓଡିଶା ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ର ଓ ତେଲେଙ୍ଗାନାବାସୀଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି ।

 

ପର୍ଯ୍ୟଟକଙ୍କ ଆଗ୍ରହ ଦେଖି ଏଠାକାର ପାରିପାର୍ଶ୍ୱିକ ଅଂଚଳର ବିକାଶ ଦିଗରେ ଚିନ୍ତା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ତେବେ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟନର ବିକାଶ ଦିଗରେ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।