ଶ୍ରୀନଗରରେ ବଡ ଆତଙ୍କୀ ହମଲା ! ଆକ୍ରମଣ କରି ସାଥିକୁ ଖସାଇ ନେଲେ ଆତଙ୍କବାଦୀ, ଜଣେ ପୁଲିସ ସହିଦ

32

କନକ ବ୍ୟୁରୋ: ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ମହାରାଜ ହରି ସିଂ ହସପିଟାଲରେ ହୋଇଛି ବଡ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ପୋଲିସ କର୍ମଚାରୀ ସହିଦ୍ ହେବା ସହ ଅନ୍ୟ ଜଣେ ପୋଲିସ ଆହତ ହୋଇଛନ୍ତି । ସାଥୀ ଆତଙ୍କବାଦୀଙ୍କୁ ଖସାଇ ନେବା ପାଇଁ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି । ପୂର୍ବରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ଚେକ୍ ଅପ୍ ପାଇଁ ପୋଲିସ ହସ୍ପିଟାଲକୁ ଆଣିଥିଲା ।

ଏହି ସମୟରେ ପୋଲିସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପୋଲିସକୁ ପଛରୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗୁଳି ବିନିମୟ ବେଳେ ଚେକ୍ ଅପ ପାଇଁ ଆସିଥିବା ଆତଙ୍କବାଦୀ ଫେରାର ହୋଇଯାଇଛି । ଫେରାର ଆତଙ୍କବାଦୀ ପାକିସ୍ତାନର ଅବୁ ହଂଜୁଲା ବୋଲି ଜଣାପଡିଛି । ଅବୁ ହଂଜୁଲା ଉଦ୍ଧମପୁର ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା । ହଂଜୁଲାକୁ କୁଲଗାଁଓରୁ ଗିରଫ କରାଯାଇଥିଲା । ଆକ୍ରମଣ ପରେ ପୂରା ଅଂଚଳକୁ ସୁରକ୍ଷାକର୍ମୀ ଘେରାଉ କରିଛନ୍ତି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ ୩ରୁ ଅଧିକ ଆତଙ୍କବାଦୀ ଶ୍ରୀନଗରସ୍ଥିତ ମହାରାଜା ହରି ସିଂ ହସ୍ପିଟାଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କୁ ସେଠାରେ ମୂତୟନ ହୋଇଥିବା ସୁରକ୍ଷା କର୍ମୀ ପାଲଟା ଜବାବ ଦେଇଥିଲେ । ଏଥିରେ ହସ୍ପିଟାଲ ପରିସରରେ ମୂତୟନ ଜଣେ ପୁଲିସ କର୍ମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଖବର ପ୍ରଚାରିତ ହେବା ପରେ ଶ୍ରୀନଗରରେ ହାଇ ଆଲର୍ଟ ଜାରି କରାଯାଇଛି । ଜାମ୍ମୁ ଓ କଶ୍ମୀର ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।