ଜିତିବାର ନୂଆ ଫର୍ମୂଲା ! ବିଦ୍ରୋହୀଙ୍କୁ ପ୍ରାର୍ଥୀ କରି ଭୋଟ ବିଭାଜନ କର । ବିଜେପୁର ରାଜନୀତିରେ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଚିନ୍ତା

43

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷ ତାରିଖ । ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନାମଙ୍କନ ଦାଖଲ କରିବା ପରେ ଆରମ୍ଭ ହେବ ହାଇଭୋଲଟେଜ ଲଢେଇ । ବିଜେପୁର ଗଡ ଜିତିବା ପାଇଁ ତ୍ରିମୁଖୀ ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି । ବିଜେଡି ଓ ବିଜେପି ପାଇଁ ବିଜେପୁର ନିର୍ବାଚନ ସମ୍ମାନର ଲଢେଇ ପାଲଟିଥିବା ବେଳେ କଂଗ୍ରେସ ପାଇଁ ଗଡ ରକ୍ଷା କରିବା ପାଲଟିବ ସବୁଠାରୁ ବଡ ଚ୍ୟାଲେଞ୍ଜ । କିଏ ଜିତିବ ବିଜେପୁର ବାଜି । ଦୀର୍ଘବର୍ଷ ପରେ ବିଜେଡି ଏଠାରେ ଶଙ୍ଖନାଦ କରିବା ପାଇଁ ସୁଯୋଗ ପାଇଥିବା ବେଳେ ବିଜେପି ଗେରୁଆ ବାନା ଉଡାଇବାକୁ ଦୃଢ ସଂକଳ୍ପ ନେଇଛି । ସେହିଭଳି କଂଗ୍ରେସ ପାରମ୍ପରିକ ଗଡ ବଞ୍ଚାଇବା ପାଇଁ ଜି ଜାନ ଲଗାଇ ଦେବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ପ୍ରାର୍ଥୀ ଘୋଷଣା ନ ହେବା ପର୍ଯ୍ୟନ୍ତ ବିଜେପୁରରେ ଦ୍ୱିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ହାତ ଦଳ ପ୍ରଣୟଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଓ ବିଜେପି ପାଇଁ ବିଜେପୁର ଗଡ ଜିତିବା ଏତେ ସହଜ ହେବ ନାହିଁ । ତେବେ ଏସବୁ ଭିତରେ ବିଜେପୁର ଗଡ ଜିତିବା ଆଶା ନେଇ ଆଉ କିଛି ସ୍ୱାଧୀନ ପ୍ରାର୍ଥୀ ଏହି ମଇଦାନକୁ ଓହ୍ଲାଇଛନ୍ତି । ଯାହା ବିଜେପୁର ନିର୍ବାଚନର ପାଣିପାଗକୁ ଟିକିଏ ଗୋଳମାଳିଆ କରି ଦେଇଛି ।

bijepur (3)

 

ଗତକାଲି ସୁଦ୍ଧା ବିଜେପୁର ନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡିରୁ ରୀତା ସାହୁ,ବିଜେପିରୁ ଅଶୋକ ପାଣିଗ୍ରାହୀ, ଏପିଆଇରୁ ପୂର୍ଣ୍ଣଚନ୍ଦ୍ର ପାଇକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟ ତିନି ଜଣ ନୂଆ ମୁହଁ ଭାବେ ବିଜେପୁର ଗଡ ଜିତିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦଳୀୟ ପ୍ରାର୍ଥୀଙ୍କ ଚିନ୍ତା ବଢାଇଛି ।ଆଉ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପରେ ଦଳୀୟ ପ୍ରାର୍ଥୀଙ୍କ ମନରେ ଛନକା ପଶିଛି । କାରଣ ଏହି ସ୍ୱାଧୀନ ପ୍ରାର୍ଥୀ ହିଁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମୁକୁଟ ଛଡାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏଭଳି ଅନୁମାନ ଏଥିପାଇଁ କରାଯାଉଛି କାରଣ ଯଦି ଆମେ ଗତ ନିର୍ବାଚନ କଥା ଦେଖିବା ତେବେ ବିଜେଡି ପରାଜୟର ମୁଖ୍ୟ କାରଣ ପାଲଟିଥିଲେ ସ୍ୱାଧୀନ ପ୍ରାର୍ଥୀ । ଏପରିକି ବିଜେପୁର ଆସନରେ ପୂର୍ବରୁ ଅନେକ ଥର ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି । ସ୍ୱାଧୀନ ପ୍ରାଥୀଙ୍କ ଭୋଟ ପାଇଁ ଦଳୀୟ ହେଭିୱେଟ ନେତାଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତେଣୁ ବିଜେପୁର ମଇଦାନରେ ଯେତିକି ସ୍ୱାଧୀନ ପ୍ରାର୍ଥୀ ବଢିବେ ଦଳୀୟ ପ୍ରାର୍ଥୀଙ୍କୁ ତା ଠାରୁ ଅଧିକ ମାତ୍ରାରେ ଚିନ୍ତା ଘାରିବ । କାରଣ ବିଜେପୁର ବିଜୟୀ ପ୍ରାର୍ଥୀଙ୍କ ପାଇଁ ଏମାନେ ସାଜିବେ ନିର୍ଣ୍ଣାୟକ କାର୍ଡ ।

bijepur (19)ଯଦି ୨୦୧୪ ନିର୍ବାଚନ କଥା ଦେଖିବା ତେବେ ସୁବଳଙ୍କ ବିଜୟ ପାଇଁ ପଥ ପରିଷ୍କାର କରିଥିଲେ ସ୍ୱାଧୀନ ପ୍ରାର୍ଥୀ । ଅଶୋକ ପାଣିଗ୍ରାହୀ ସ୍ୱାଧୀନ ପ୍ରାର୍ଥୀ ଭାବେ ୧୮୦୦୦ରୁ ଉଦ୍ଧ୍ୱର୍ ଭୋଟ ହାତେଇବା ଶାସକ ବିଜେଡିକୁ ବଡ ଝଟକା ଦେଇଥିଲା । ମାତ୍ର ୪୫୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିଭଳି ଚଳିତ ଉପନିର୍ବାଚନରେ ଏପିଆଇ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ପାଇକ । ଗତ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ନିର୍ବାଚନ ଲଢି ୧୫୬୧ ଭୋଟ ହାତେଇ ଥିଲେ । ଯାହାର ପ୍ରଭାବ ନିର୍ବାଚନର ଫଳାଫଳକୁ ବଦଳାଇ ଦେଇଥିଲା । ତେବେ ଚଳିତ ଥର ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ପୂର୍ଣ୍ଣଚନ୍ଦ ନିର୍ବାଚନ ଲଢିବା ନିଶ୍ଚିତ ଭାବେ କେଉଁ ଦଳ ପାଇଁ ଅଡୁଆ ସୃଷ୍ଟି କରିବ ।

ଚଳିତ ବିଜେପୁର ନିର୍ବାଚନ ରାଜ୍ୟର ପ୍ରମୁଖ ତିନୋଟି ଦଳ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ । କାରଣ କେଉଁ ଦଳ କାହାଠାରୁ କମ ନୁହନ୍ତି । ୧୪ ବର୍ଷ ପରେ ବିଜେଡି ବିଜେପୁର ଗଡ ଜିତିବାକୁ ଆଶା କରିଛି । ଆଉ ଏହି ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେଡିର ହେଭିୱେଟ ନେତା ପ୍ରାଣପ୍ରଣେ ଚେଷ୍ଟା ଚଳାଇଛନ୍ତି । ସେହିଭଳି ବିଜେପୁର ଆସନ ଜିତିବା ପାଇଁ ବିଜେପି ସବୁପ୍ରକାର କସରତ ଆରମ୍ଭ କରିଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ଅଶୋକ ପାଣିଗ୍ରାହୀଙ୍କ ନିଜସ୍ୱ ଭୋଟ ବ୍ୟାଙ୍କକୁ ପୁଞ୍ଜି କରି ଦଳ ମଇଦାନକୁ ଓହ୍ଲାଇଛି । ପୂର୍ବରୁ ଅଶୋକ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୧୮୦୦୦ ଭୋଟ ହାତେଇଥିଲେ ଯାହା ଦଳକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ସେହିଭଳି କଂଗ୍ରେସର ଏହା ପାରମ୍ପରିକ ଗଡ ଭାବେ ଜଣାଶୁଣା । ତେଣୁ କଂଗ୍ରେସର କିଛି ପକେଟ ଭୋଟ ରହିଛି । ଯାହା ଦଳର ବିଜୟ ଆଶାକୁ ବଢାଇଛି । ତେବେ ଏସବୁକୁ ଦୃଷ୍ଟିରେ ରଖିଲେ ତିନି ଦଳ ମଧ୍ୟରେ କଡା ଟକ୍କର ହେବ ଏହା ନିଃସନ୍ଦେହ । କିନ୍ତୁ କିଏ ଜିତିବ ତାହା କହିବା ମୁସ୍କିଲ । ଏଭଳି ସ୍ଥିତିରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରମୁଖ ଭୂମିକା ରହିବ । କାରଣ ଯେ କୌଣସି ପ୍ରାର୍ଥୀଙ୍କ ବିଜୟରେ ଏହି ମାନେ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ଏସବୁ ଭିତରେ ପ୍ରତ୍ୟେକ ଦଳ ଜିତିବାର ନୂଆ ଫର୍ମୁଲା ଆପଣାଇଛନ୍ତି । ବିଦ୍ରୋହୀଙ୍କୁ ପ୍ରାଥୀ କରି ଭୋଟ ବିଭାଜନ କରି ବିଜୟୀ ହେବା ପାଇଁ ସବୁଦଳ ଆପଣାଇ ପାରନ୍ତି ସମାନ ଫର୍ମୁଲା ।

Bijepurବିଜେପୁରରେ ବିଜୟ ଟିକା ପିନ୍ଧିବା ପାଇଁ ପ୍ରତି ଦଳ ପକ୍ଷରୁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଯେପରି ଗୋଟିଏ ବି ଭୋଟ ଦଳ ବିପକ୍ଷରେ ନ ଯାଏ ସେଥିପାଇଁ ସବୁଦଳ ଆରମ୍ଭ କରିଛନ୍ତି ପ୍ରୟାସ । କାରଣ ଏହି ସମ୍ମାନର ଲଢେଇ ଜିତିବାକୁ ହେଲେ ପ୍ରତି ଭୋଟ ଉପରେ ପ୍ରତ୍ୟେକ ଦଳର ନଜର ରହିବ ।ତେବେ ଯଦି କିଛି ଭୋଟ ସ୍ୱାଧୀନ ପ୍ରାର୍ଥୀୀଙ୍କ ମୁଣିରେ ପଡୁଛି ତେବେ ତାହା ଦଳୀୟ ପ୍ରାର୍ଥୀଙ୍କୁ ଘାଟାରେ ପକାଇବ । ତେଣୁ ବିଜେପୁର ନିର୍ବାଚନରେ ଫୋକସରେ ରହିବେ ସ୍ୱାଧୀନ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟକୁ ଯେଉଁ ଦଳ ହାତେଇ ପାରିବ ସେହିଦଳର ବିଜୟ ସମ୍ଭାବନା ଅଧିକ ରହି ବୋଲି ଚର୍ଚ୍ଚା ହେଉଛି । ଏହାବାଦ୍ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହେବ ନୋଟା ବିକଳ୍ପ । ଗତ ନିର୍ବାଚନରେ ୪୫୮ ଖଣ୍ଡ ଭୋଟରେ ସୁବଳ ସାହୁ ବିଜେଡିର ଭେଟରାନ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଥିବା ବେଳେ ନୋଟାରେ ପଡିଥିଲା ୧୨୮୫ ଖଣ୍ଡ ଭୋଟ । ଯାହା ପ୍ରସନ୍ନଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା । ତେଣୁ ନୋଟାରେ ପଡିଥିବା ଭୋଟକୁ କିପରି ଦଳୀୟ ଭୋଟରେ ପରିବର୍ତ୍ତିତ କରାଯିବ ତାହାକୁ ନେଇ ଏବେ ସବୁ ଦଳର କ୍ୟାମ୍ପ ତତ୍ପର ହୋଇ ଉଠିଛି । ତେବେ ଏସବୁ ଭିତରେ ଦେଖିବା ବାକି ରହିଲା ବିଜେପୁର ନିର୍ବାଚନକୁ ସ୍ୱାଧୀନ ପ୍ରାଥୀ କିଭଳି ପ୍ରଭାବିତ କରୁଛନ୍ତି ।