ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ପୋଲିସ ସହ ଧସ୍ତାଧସ୍ତି ହେଲେ ମୃତକଙ୍କ ସଂପର୍କୀୟ

36

କନକ ବ୍ୟୁରୋ: ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ପୋଲିସ ସହ ଧସ୍ତାଧସ୍ତି ହେଲେ ମୃତକଙ୍କ ସଂପର୍କୀୟ । ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକ । ଟାଇଫଏଡ ରୋଗରେ ଆକ୍ରାନ୍ତ ମଂଚେଶ୍ୱର ଅଂଚଳର ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲ ମହିଳା ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ଗତ ରାତିରେ ଆଖି ବୁଜିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବାରେ ଅବହେଳା ଅଭିଯୋଗ ଆଣି ହଙ୍ଗାମା କରିଥିଲେ ପରିବାର ସଦସ୍ୟ ।

ମିଳିଥିବା ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଗାଁର ଚାରୁଲତା ରାଉତ ନାମକ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଚାରୁଲତାଙ୍କ ଶ୍ୱାସଜନିତ ରୋଗ ଥିବାରୁ ପରିବାର ଲୋକେ ଏକ ହ୍ଵିଲଚେୟାରର ବ୍ୟବସ୍ଥା କରିବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ହସ୍ପିଟାଲ ପକ୍ଷରୁ ହ୍ଵିଲଚେୟାର ଦିଆନଯିବାରୁ ଚାରୁଲତା ହସ୍ପିଟାଲର ୨ ମହଲାରେ ଥିବା ମହିଳା ମେଡିସନ୍ ଓ୍ଵାର୍ଡକୁ ଚାଲି ଚାଲି ଯାଇଥିଲେ । ଏହାଦ୍ୱାରା ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇ ଚାରୁଲତାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାକୁ କେନ୍ଦ୍ର କରି ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଚାରଲୁତାଙ୍କ ପରିବାରଲୋକଙ୍କ ସମେତ ୨୫ରୁ ଅଧିକ ଲୋକ ହସ୍ପିଟାଲ ପରିସରରେ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିବା ସହ ହୋହଲ୍ଲା କରିଥିଲେ । ଏହା ଦେଖି ହସ୍ପିଟାଲ ଫାଣ୍ଡି ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପରିସ୍ଥିତି ବିସ୍ଫୋରକ ରୂପ ନେଇଥିଲା । ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିବା ସହ ମାରପିଟ୍ କରିଥିଲେ । ଏଥିରେ ଏଏସଆଇ ବିଶ୍ୱମିତ୍ର ଭୋଇ ଓ ଅନ୍ୟ ଜଣେ କର୍ମଚାରୀ ରବୀନ୍ଦ୍ର ପାଟ୍ଟଶାଣୀ ଗୁରୁତର ଆହତ ହୋଇଥିଲେ ।