ଆଜି ତାମିଲନାଡୁରେ ଆସ୍ଥା ଭୋଟ୍ : ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ପାଲାନିସ୍ୱାମୀ

44

କନକ ବ୍ୟୁରୋ : ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ଆଜି ବିଧାନସଭାରେ ଦେବେ ଶକ୍ତି ପରୀକ୍ଷା । ତାଙ୍କ ବିପକ୍ଷରେ ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନିର ସେଲଭମ୍ । ଆସ୍ଥାଭୋଟର ଫଳାଫଳ ପରେ ପାଲାନୀସ୍ୱାମୀ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୩୦ ବର୍ଷ ପରେ ତାମିଲନାଡୁରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ ଯାଉଛନ୍ତି ।

ଗୁରୁବାର ପାଲାନୀସ୍ୱାମୀଙ୍କୁ ରାଜ୍ୟପାଳ ସି ବିଦ୍ୟାସାଗର ରାଓ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେବା ସହ ଆସ୍ଥାଭୋଟର ସାମ୍ନା କରିବାକୁ କହିଥିଲେ । ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ନୂଆ ସରକାରକୁ ୧୫ ଦିନ ସମୟ ଦେଇଥିଲେ ରାଜ୍ୟପାଳ । ତେବେ ପଲାନୀ କିନ୍ତୁ ୨ ଦିନରେ ଆସ୍ଥାଭୋଟ୍ ଜରିଆରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପ୍ରସ୍ତାବ ଦେଇଥିଲେ । ଆଜି ଦିନ ୧୧ଟା ବେଳକୁ ପାଲାନୀସ୍ୱାମୀ ବିଧାନସଭାରେ ପହଂଚି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ସୂଚନା ରହିଛି ।

ଏପଟେ କିନ୍ତୁ ରାଜନୈତିକ ବିବାଦ ଥମିବାର ନାଁ ନେଉଛି ତାମିଲନାଡୁରେ । ଯେସାକୁ ତେସା ନୀତିରେ ଗତକାଲି ଶଶିକଳା ଏବଂ ନୂଆ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସମତେ ମନ୍ତ୍ରୀ ମଣ୍ଡଳର ସବୁ ସଦସ୍ୟକୁ ଦଳରୁ ବହିଷ୍କାର କହିଛନ୍ତି ପନିରସେଲଭମ୍ ଗୋଷ୍ଠୀ । ଏଆଇଏଡିଏମ୍କେ ଦଳର ପ୍ରେସିଡିୟମ୍ ଅଧ୍ୟକ୍ଷ ପଦରେ ରହିଥିବା ଦାବି କରି ଇ. ମଧୁସୁଧନ ଏହି ବହିଷ୍କାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ଶଶିକଳା, ପନିରସେଲଭମଙ୍କ ସମେତ ଦଳର ୨୦ ଜଣ ସଦସ୍ୟଙ୍କୁ ଦଳରୁ ବହିଷ୍କାର କରିଥିଲେ ।

ତେବେ ଦଳୀୟ ସମ୍ବିଧାନ ଅନୁସାରେ ଶଶିକଳା ଆଇନସମ୍ମତ ମହାସଚିବ ହୋଇନଥିବାରୁ ତାଙ୍କ ବହିଷ୍କାର କରିବା କ୍ଷମତା ନାହି ବୋଲି ଦାବି କରିଥିଲେ ମଧୁସୂଧନ । ତେବେ ଏହି ବହିଷ୍କାର ନିର୍ଦ୍ଦେଶ ତାମିଲନାଡୁ ରାଜନୀତିକୁ ଆହୁରୀ ସରଗରମ କରିଛି । ଆଉ ଏଆଇଏଡିଏମକେ ଦଳର ଗୋଷ୍ଠୀ ବିବାଦ ଆହୁରୀ ତୀବ୍ର ହେବାରେ ଲାଗିଛି ।