ଦିନେ ଫ୍ୟାକ୍ଟ୍ରିରେ ଶ୍ରମିକ ଥିଲେ ! ଆଜି ୫୦ ହଜାର କୋଟିର ମାଲିକ , ସାଜିଛନ୍ତି ଚୀନର ସବୁଠୁ ଧନୀ ମହିଳା

22

କୁହାଯାଏ ଯଦି ଜଣେ ନିଜ ଜୀବନରେ କିଛି ହାସଲ କରିବାକୁ ସ୍ୱପ୍ନ ଦେଖିଥାଏ । ଆଉ ଏହାକୁ ସତ କରିବାକୁ ଦୃଢତାର ସହ ଲାଗିଥାଏ , ନିଶ୍ଚୟ ତାଙ୍କର ସ୍ୱପ୍ନ ସତ ହୁଏ । ଆଉ ଏମିତି କୌଣସି ଶକ୍ତି ନାହିଁ ଯିଏକି ସ୍ୱପ୍ନକୁ ଭାଂଗିଦେବ । ଏମିତି ଜଣେ ମହିଳାଙ୍କର ସ୍ୱପ୍ନ ସତ ହୋଇଛି । ଅମର ଉଜାଲାରେ ପ୍ରକାଶିତ ହୋଇଛି ଏମିତି ଏକ ଖବର । ଚୀନର ଜଣେ ମହିଳା ଝୋଉ କନଫେଇ । ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି । ଆଜି ସେ ଚୀନର ସବୁଠୁ ଧନୀଶାଳୀ ମହିଳା ଭାବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

ସୂଚନା ଅନୁସାରେ , ଝୋଉଙ୍କର ଜନ୍ମ ଚୀନର ହୁନାନ ପ୍ରାନ୍ତ ସ୍ଥିତ ଏକ ଛୋଟ ଗାଁରେ ହୋଇଥିଲା । ଗାଁରେ କିଛି ରୋଜଗାର କରିବାର ମାଧ୍ୟମ ନଥିଲା । ଫଳରେ ସେ ନିଜ ଗାଁ ଛାଡି , ଚୀନର ଦକ୍ଷିଣରେ ଥିବା ସହର ଶେନଝେଣକୁ ଚାଲିଯାଇଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଝୋଉ କନଫେଇ ନିଜର ସାହସ ହାରିନଥିଲେ ।

ଝୋଉ ଏକ ଫ୍ୟାକ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ଘଂଟାର ଗ୍ଲାସ୍ ସବୁ ତିଆରି କରୁଥିଲେ । ଏହାପରେ ଝୋଉ କନଫେଇ ୨୦୦୩ରେ ନିଜର ଏକ କଂପାନୀ ସ୍ଥାପନ କଲେ । ଯେଉଁଥିରେ ପାଖାପାଖି ୬୦ ହଜାର ଲୋକ କାମ କରୁଛନ୍ତି । କନଫେଇଙ୍କ ପାଖରେ ନିଜର ଫାର୍ମର ୮୯ ପ୍ରତିଶତ ଶେୟାର ରହିଛି । ଝୋଉଙ୍କ କଂପାନୀର ସଫଳତା କେତେ ଏଥିରୁ ଜଣାପଡେ କି ସେ ଆପଲ୍ , ସାମସଙ୍ଗ ଓ ଅନ୍ୟ ବଡ ବଡ କଂପାନୀଗୁଡିକୁ ଟଚସ୍କ୍ରିନ୍ ଗ୍ଲାସ୍ ସପ୍ଲାଇ କରିଥାନ୍ତି । ଝୋଉ ଚୀନରେ ଚୀନରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି କି ତାଙ୍କୁ ‘କ୍ୱିନ୍ ଅଫ୍ ମୋବାଇଲ୍ ଫୋନ୍ସ ଗ୍ଲାସ୍’ କୁହାଯାଏ । ସେ ବିଜିଂଗ୍ ରେଡ୍ ସେଣ୍ଡଲବୁଡ୍ କ୍ଲଚରଲ ଫାଉଣ୍ଡେସନର ସଂସ୍ଥାପକ ଚାନ୍ ଲାଇଭାଙ୍କୁ ପଛରେ ପକାଇଦେଇଛନ୍ତି ।

ଝୋଉ କନଫେଇ ଚୀନର ସବୁଠୁ ଧନୀ ମହିଳା ଅଟନ୍ତି । ତାଙ୍କର ସଂପତ୍ତି ପାଖାପାଖି ୮ ଅରବ ଡଲାର ଅଟେ । ତାଙ୍କର କଂପାନୀ ଇଲେକ୍ଟ୍ରନିକ୍ ଉତ୍ପାଦରେ ଉପଯୋଗ ହେଉଥିବା ଟଚ୍ ସେନ୍ସେଟିଭ୍ ଗ୍ଲାସ୍ ର ୨୧ ପ୍ରତିଶତ ମାର୍କେଟରେ ନିଜର ପ୍ରଭାବ ବିସ୍ତାର କରିଛି । ଆଜି ବ୍ୟବସାୟ ବଜାରରେ ନିଜର ଏପରି ସଫଳତାକୁ ନେଇ ସେ ଏହାର ଶ୍ରେୟ କଠିନ ପରିଶ୍ରମ ଓ ଦକ୍ଷତାକୁ ଦିଅନ୍ତି । ଆଉ କେମିତି ତଳ ସ୍ତରରୁ ଉପରକୁ ଉଠିଛନ୍ତି , ଏହାର ଉଦାହରଣ ସାଜିଛନ୍ତି ଝୋଉ କନଫେଇ ।