କ୍ୟାମ୍ପସରେ ବୁଲିଲା ଭୂଜାଲି, ଛୁରୀ ! ଛାତ୍ରସଂସଦ ନିର୍ବାଚନ ନେଇ ବ୍ରହ୍ମଗିରିରେ ଦେଖାଦେଲା ପ୍ରାକ୍ ନିର୍ବାଚନୀ ହିଂସା

35

କନକ ବ୍ୟୁରୋ : ଆସନ୍ତା ୨୩ରେ ଛାତ୍ର ସଂସଦ ନିର୍ବାଚନ । ୧୫ରେ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ସରଗରମ ହୋଇଛି କଲେଜ କ୍ୟାମ୍ପସ । କ୍ୟାମ୍ପସ ପଲିଟିକ୍ସ ଜୋର ଧରିଥିବା ବେଳେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । କ୍ୟାମ୍ପସରେ ପୁସିଙ୍ଗ୍ ଯେତିକି ମାତ୍ରାରେ ଉଡୁଛି ସେହି ମାତ୍ରାରେ ହତିୟାର ମଧ୍ୟ ବୁଲୁଛି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଦେଖାଦେଇଛି ପ୍ରାକ୍ ନିର୍ବାଚନ ହିଂସା । ଦୁଇ ଛାତ୍ରଗୋଷ୍ଠୀଙ୍କ ଗଣ୍ଡଗୋଳରେ କଲେଜ କ୍ୟାମ୍ପସରେ ବୁଲିଛି ଖଣ୍ଡା, ଭୂଜାଲି ଓ ଛୁରୀ । ଛୁରା ମାଡରେ ଦୁଇ ଜଣ ଛାତ୍ର କାହ୍ନୁ ଚରଣ ବରାଳ ଓ ସୂର୍ଯ୍ୟନାରାୟଣ ଷଣ୍ଢ ଆହତ ହୋଇ ପୁରୀ ସଦର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ଗଣ୍ଡଗୋଳ ପ୍ରତିବାଦରେ ଛାତ୍ରଛାତ୍ରୀ ପୁରୀ-ସାତପଡା ରାସ୍ତା ଅବରୋଧ କରିଥିଲେ । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ବିଶ୍ୱରଂଜନ ଦଳାଇ । ତେବେ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।

ପୂର୍ବରୁ ବିଭିନ୍ନ କଲେଜରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେବାର ନଜିର ରହିଛି । ନିର୍ବାଚନ ଯେତିକି ପାଖେଇ ଆସେ କ୍ୟାମ୍ପସରେ ସେତିକି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରିକି ବିଭିନ୍ନ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି କିଛି ଛାତ୍ର ନେତା ଏଭଳି ଗଣ୍ଡଗୋଳକୁ ପୋତ୍ସାହିତ କରିଥାନ୍ତି । ତେବେ ଟିକିଏ ମଦ ମାଂସର ଲୋଭରେ ଅଣଛାତ୍ର ମାନେ କ୍ୟାମ୍ପସରେ ପଶି ଗଣ୍ଡଗୋଳ ସୃଷ୍ଟି କରିଥାନ୍ତି ।