ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ! ଯାଜପୁରର ପଥର କଟାଳିଙ୍କ ପୁଅ ହେଲେ ନାସା ବୈଜ୍ଞାନିକ

2,685

ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ।  ଏକଥା ପ୍ରମାଣିତ ହୋଇଛି ଯାଜପୁରର ଜଣେ ପଥରକଟାଳିଙ୍କ ପୁଅଙ୍କ କ୍ଷେତ୍ରରେ । ବାପା ସିନା ପଥର କାଟି ପରିବାର ଚଳାଉଥିଲେ, ହେଲେ ଦୃଢ଼ମନା ପୁଅ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନାସାର ବୈଜ୍ଞାନିକ ହୋଇପାରିଛନ୍ତି । ଏଭଳି ଖବର ପ୍ରସାରିତ ହେବା ପରେ ଏବେ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ନାସାର ବୈଜ୍ଞାନିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ସେଠାରେ କାର୍ଯ୍ୟରେ ଯୋଗଦେବାକୁ ଚିଠି ଆସିଛି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫) । ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ । ଗୋଟିଏ ବର୍ଷ ପରେ ଭିଏନ୍ କଲେଜରେ ଯୁକ୍ତ୨ ପାଠ ପଢ଼ିଥିଲେ । ଏହାପରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା  । ସେଥିପାଇଁ ମଧ୍ୟ ଗୋଟିଏ ବର୍ଷ ପଢା ବନ୍ଦ ରହିଥିଲା। ବାପା ମାଙ୍କଡା ପଥର କାଟୁଥିଲେ । ଘର ଚଳାଇବା ସହ ପିଲାଙ୍କୁ ପାଠ ପଢାଇବା କଷ୍ଟକର ବ୍ୟାପାର ଥିଲା ବାପା ଅର୍ଜୁନଙ୍କ ପାଇଁ। ଅଧିକା ପାଠ ପଢି ବୈଜ୍ଞାନିକ ହେବାର ଇଚ୍ଛାଶକ୍ତି ଯୋଗୁଁ ହେମନ୍ତ ନିଜେ ଟିଉସନରେ ପିଲାଙ୍କୁ ପଢ଼ାଇବା ସହ ନି‌ଜେ ପାଠ ପଢିବା ପାଇଁ ମନସ୍ଥ କରିଥିଲେ।

କଟକ ରେଭେନ୍ସା କଲେଜରେ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିବା ସହ ଟିଉସନ ଅର୍ଥରେ ମାଡ୍ରାସରେ ପିଏଚଡି କଲେ । ସେଠାରୁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୋଜେକ୍ଟ ନେଇ ଅନ୍ୟ ୪ଜଣଙ୍କ ସହ ସେ ଆମେରିକାର ନାସାକୁ ଯାଇଥିଲେ । ଜଳବାୟୁ ପରିବର୍ତନ, ପୂର୍ବାନୁମାନ ଏବଂ ସ୍ୟାଟେଲାଇଟରେ ମେସେଜ ଉପରେ କରାଯାଇ ଥିବା ହେମନ୍ତଙ୍କ ପ୍ରକଳ୍ପ ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ବ୍ୟତୀତ ସେଠାରେ କରାଯାଇଥିବା ୮ଟି ପରୀକ୍ଷା ମଧ୍ୟରୁ ୫ଟିରେ ପ୍ରଥମ, ୨ଟିରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅସୁସ୍ଥତା ପାଇଁ ଗୋଟିଏ ପରୀକ୍ଷା ଦେଇପାରି ନଥିଲେ । ସେଠାରେ ତାଙ୍କୁ ଗୋଟିଏ ଗୋଲ୍ଡ ମେଡାଲ ଓ ଗୋଟିଏ ସିଲଭର ମେଡାଲ ମିଳିଥିଲା । ସେଥିପାଇଁ ନାସା କର୍ତୃପକ୍ଷ ତାଙ୍କୁ ଜୁନିୟର ବୈଜ୍ଞାନିକ ଭାବେ ନିଯୁକ୍ତି କରିବା ପାଇଁ ଇସ୍ରୋ ଜରିଆରେ ପତ୍ର ଲେଖିଥିଲେ ।

ପିଲାବେଳୁ ବୈଜ୍ଞାନିକ ହେବାର ଇଚ୍ଛା ଶକ୍ତି ଓ ଟିଉସନ ସାର ଅରୁଣ କୁମାର କାଏସ୍ତଙ୍କ ପ୍ରେରଣା ଏବଂ ବାପାମାଙ୍କ ଅଶୀର୍ବାଦରୁ ସେ ବୈଜ୍ଞାନିକ ହୋଇଛନ୍ତି ବୋଲି କହିଛନ୍ତି ହେମନ୍ତ । ଆମେରିକା ଯିବା ପାଇଁ ଏବେ ୨ଲକ୍ଷ ଟଙ୍କା ଆବଶ୍ୟକ ରହିଥିବାରୁ ସେ ଚିନ୍ତାରେ ରହିଛନ୍ତି । ଅତ୍ୟନ୍ତ ଗରିବ ପରିବାରର ହେମନ୍ତ ନାସାର ବୈଜ୍ଞାନିକ ହୋଇଥିବାରୁ ସମଗ୍ର ଅଂଚଳରେ ଖୁସିର ଲହରି ଖେଳିଯାଇଛି । ଅନେକ ଶୁଭେଚ୍ଛା ବାର୍ତା ତାଙ୍କ ନିକଟକୁ ଆସୁଥିବା ବେଳେ ପିସି ଘଡାଇ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ଆସନ୍ତା ୧୨ ତାରିଖରେ ତାଙ୍କୁ ସମ୍ବର୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖରେ ଚେନ୍ନାଇ ଏବଂ ସେଠାରୁ ଦିଲ୍ଲୀ ହୋଇ ଆମେରିକା ଯାତ୍ରା କରିବେ ବୋଲି ହେମନ୍ତ ପ୍ରକାଶ କରିଛନ୍ତି ।