କୋଣାର୍କରୁ ହୋଇଛି କଳା ହରଣ ! ଧରାପଡିଲା ଏଏସଆଇର ମିଛ ? ଗାଏବ ହୋଇଯାଇଛି ମୂର୍ତ୍ତି !

115

କନକ ବ୍ୟୁରୋ : କୋଣାର୍କରୁ ଗାଏବ ହୋଇଛି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି । କୋଣାର୍କ ବିକାଶ ପରିଷଦ ଜାରି କରିଥିବା ଫଟୋରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଆଉ ଏହି ପ୍ରମାଣ ମିଳିବା ପରେ କୋଣାର୍କ ପ୍ରସଙ୍ଗରେ ଏଏସ୍ଆଇର ମୁଖା ଖୋଲିଯାଇଛି । କାରଣ ଏଏସ୍ଆଇ ପକ୍ଷରୁ ବାରମ୍ବାର କୁହାଯାଉଥିଲା, କୋଣାର୍କରୁ ଖଣ୍ଡିଏ ବି ପଥର ସ୍ଥାନାନ୍ତର କରାଯାଇ ନାହିଁ । ବରଂ ଖାଲି ସ୍ଥାନରେ ସାଧା ପଥର ଲଗା ଯାଇଛି ।

କୋଣାର୍କର କାରୁକାର୍ଯ୍ୟ ନେଇ ଚଳିତ ମାସ ୧୩ ତାରିଖରେ ଏଏସ୍ଆଇ ଅଧିକାରୀ ରଖିଥିବା  ମନ୍ତବ୍ୟ ଆଜି ଭୁଲ ପ୍ରମାଣିତ ହୋଇଛି, ଯେତେବେଳେ କୋଣାର୍କ ବିକାଶ ପରିଷଦ ସାମ୍ନାକୁ ଆଣିଛି ବ୍ଲାକ ପାଗୋଡାର ୧୯୬୫ ମସିହାର ପୁରୁଣା ଫଟୋ ।

ଧରାପଡ଼ିଲା ଏଏସଆଇର ମିଛ ? କୋଣାର୍କରୁ ଗାଏବ କାରୁକାର୍ଯ୍ୟ ! କୋଣାର୍କ ମନ୍ଦିରର ଦୁଇଟି ଚିତ୍ର ହିଁ ଖୋଲି ଦେଇଛି ଏଏସଆଇର ଅସଲମୁଖା । ମନ୍ଦିରର ଏକ କୋଣରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଥିବା, ଗୋଟିଏ ଚିତ୍ରରେ ସ୍ପଷ୍ଟ ଦେଖାଯାଉଥିବା ବେଳେ ଅନ୍ୟ ଚିତ୍ରରେ ସେହି ସ୍ଥାନଟି ସଂପୂର୍ଣ୍ଣ ଖାଲି ରହିଛି । ଏହି ଚିତ୍ର ଦେଖିଲା ପରେ କିଏ କେମିତି କହିବ, କୋଣାର୍କରୁ ମୁର୍ତ୍ତି ସ୍ଥାନାନ୍ତର ହୋଇନାହିଁ ।

କୁଆଡେ ଗଲା କୋଣାର୍କର ମୂର୍ତ୍ତି ? କୋଣାର୍କରୁ ହୋଇଛି କଳା ହରଣ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମିତି ଏକାଧିକ ଚିତ୍ର ରଖିଛି କୋଣାର୍କ ବିକାଶ ପରିଷଦ । ବ୍ଲାକ ପାଗୋଡାକୁ ଶ୍ରୀହିନ କରିବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରାଯାଇଛି । ମନ୍ଦିରର ସଂରକ୍ଷଣ ପୂର୍ବରୁ ଯେଉଁଠି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ଜଳଜଳ ଦିଶୁଥିଲା, ଆଜି ଉକ୍ତ ସ୍ଥାନ ଫାଙ୍କା ପଡ଼ିଛି । ଯାହା ଏଏସଆଇର ଆଭିମୁଖ୍ୟ ଉପରେ ଏକ ବଡ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି ।