ଭାରତରେ ପହଞ୍ଚିଲା ଶ୍ରୀଦେବୀଙ୍କ ମରଶରୀର, ପ୍ରାଇଭେଟ ଜେଟରେ ଦୁବାଇରୁ ମୁମ୍ବାଇ ଆସିଲା ! ଆସନ୍ତାକାଲି ଅନ୍ତିମ ସଂସ୍କାର

34

ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତ ପହଞ୍ଚିଛି। ଦୁବାଇ ବିମାନ ବନ୍ଦରରୁ ସନ୍ଧ୍ୟା ୬ଟା ୩୦ରେ ବାହାରି ଥିବା ଅନିଲ ଅମ୍ବାନିଙ୍କ ବ୍ୟକ୍ତିଗତ ଚାଟାର୍ଡ ବିମାନ ମୁମ୍ବାଇ ବିମାନ ବନ୍ଦରରେ ମଙ୍ଗଳବାର ରାତି ୯ଟା ୩୦ରେ ପହଞ୍ଚିଛି। ଏହା ପରେ ଲୋଖଣ୍ଡଓ୍ଵାଲାସ୍ଥିତ ବୋନି କାପୁରଙ୍କ ନିବାସ ‘ଗ୍ରୀନ ଏଡକସ୍’କୁ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ନିଆଯାଇଛି। ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ ବିମାନରେ ପତି ବୋନି କାପୁର, ପୁତ୍ର ଅର୍ଜୁନ କାପୁର, ସଞ୍ଜୟ କାପୁର, ରୀନା ମାରଓ୍ଵାହା ଓ ସନ୍ଦୀପ ମାରଓ୍ଵାହା ସମେତ ୧୦ ଜଣ ନେଇ ଆସିଛନ୍ତି। ଅନ୍ୟପକ୍ଷରେ ଶ୍ରୀଦେବୀଙ୍କ ଶବ ଆଣିବା ପାଇଁ ଅନିଲ କାପୁର, ଆମ୍ବୁଲାନ୍ସ ନେଇ ମୁମ୍ବାଇ ବିମାନ ବନ୍ଦର ପହଞ୍ଚି ଥିଲେ।

ଭିଲେ ପାର୍ଲେ ସେବା ସମାଜ ଶ୍ମଶାନରେ ଫେବ୍ରୁଆରି ୨୮(ବୁଧବାର) ଅପରାହ୍ନରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ଦିଆଯିବ। ଏହା ପୂର୍ବରୁ ଶବକୁ ସେଲିବ୍ରେସନ କ୍ଲବରେ ସକାଳ ୯ଟା ୩୦ରୁ ଅପରାହ୍ଣ ୧୨ଟା ୩୦ ପର୍ୟ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ରଖାଯିବ। ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁବାଇ ପୋଲିସ୍ ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି ବୋଲି ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦୁବାଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀଙ୍କ ସହଯୋଗରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର ଓ ପୁତ୍ର ଅର୍ଜୁନ କାପୁର ଶବ ସଂରକ୍ଷଣ ଗୃହ (ମର୍ଗ)ରୁ ତାଙ୍କ ପାର୍ଥିର୍ବ ଶରୀରକୁ ନେଇ ଏବେ ଶବ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବା ପାଇଁ ଏମ୍ବାଲିଂ ସେଣ୍ଟରକୁ ନେଇଥିଲେ। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ଦେଢ଼ରୁ ଦୁଇଘଣ୍ଟା ସମୟ ଲାଗିଥିଲା। ଏହାପରେ କାପୁର ପରିବାର ଦୁବାଇ ବିମାନ ବନ୍ଦରକୁ ଯାଇ ସେଠାରୁ ଏକ ଚାର୍ଟଡ୍ ଫ୍ଲାଇଟରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ କଫିନରେ ଧରି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଦୁବାଇରୁ ପ୍ରକାଶିତ ସମ୍ବାଦପତ୍ର ‘ଖଲିଜ ଟାଇମସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ୨୪ ତାରିଖ ରାତିରେ ଦୁବାଇସ୍ଥିତ ଜୁମୈରା ଏମିରେଟସ ଟାଓ୍ଵାର ହୋଟେଲର ବାଥ୍ରୁମରେ ଥିବା ବାଥଟବରେ ଶ୍ରୀଦେବୀ ଅଚେତ ହୋଇ ପଡ଼ିଯାଇଥିଲେ। ପରେ ଏହି ଘଟଣାରେ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି। ଏଥିସହ ଏହି ଅଘଟଣ ବେଳେ ଶ୍ରୀଦେବୀ ନିଶାସକ୍ତ ଅବସ୍ଥାରେ ଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା। ତେବେ, ଏହି ଫରେନସିକ୍ ରିପୋର୍ଟ ମିଳିବା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣା ରହସ୍ୟଜନକ ହୋଇପଡ଼ିଥିଲା। କାରଣ ତାଙ୍କ ପରିବାର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଏସମସ୍ତ ଘଟଣାକ୍ରମ ଭିତରେ ସମଗ୍ର ଘଟଣା ରହସ୍ୟ ଭିତରକୁ ଯାଉଥିବାରୁ ଦୁବାଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଥିଲା। ଶେଷରେ ଏହି ମାମଲା ଦୁବାଇ କୋର୍ଟକୁ ଯାଇଥିଲା। ତେବେ ଅଦାଲତଙ୍କ ଚୂଡ଼ାନ୍ତ ଶୁଣାଣି ପରେ ପୋଲିସ୍ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ଆଜି ଅପରାହ୍ନରେ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ବନ୍ଦ କରିଛି ବୋଲି ଘୋଷଣା କରିଛି।