ବନ୍ୟା କ୍ଷୟକ୍ଷତି ଆକଳନ କଲେ ରାଜ୍ୟ ସରକାର : ୧୬ ଜୁଲାଇରୁ ୧୯ ଜୁଲାଇ ଭିତରେ ବନ୍ୟା ପାଣି ଧୋଇନେଇଛି ୨୧୮କୋଟି, ରିପୋର୍ଟ ଦେଲେ ସ୍ୱତନ୍ତ୍ର ରିଲିଫ କମିସନର

44

କନକ ବ୍ୟୁରୋ : ଚଳିତ ବର୍ଷ ୫ଟି ଜିଲ୍ଲାରେ ଦେଖାଦେଇଥିବା ବନ୍ୟାରେ ରାଜ୍ୟର ୨୧୮ କୋଟି ୭୨ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରସ୍ତୁତ କରିଥିବା ରିପୋର୍ଟରେ ଏ ନେଇ ବିଭିନ୍ନ ବିଭାଗର କେତେ କ୍ଷତି ହୋଇଛି ତାହା ଦର୍ଶାଯାଇଛି । ରିପୋର୍ଟରେ ଜଳସଂପଦ ବିଭାଗର ନଦୀ ଓ କେନାଲ ବନ୍ଧ ଭାଙ୍ଗିବା କାରଣରୁ ୧ କୋଟି ୭୫ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଦର୍ଶାଯାଇଛି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ କ୍ଷୟକ୍ଷତି ହେବାରୁ ୨୦ କୋଟି ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି ।

ସେହିଭଳି ଉଠାଜଳସେଚନ ପକଳ୍ପଗୁଡ଼ିକ କ୍ଷତି ହେବାରୁ ୩ କୋଟି ୫୧ ଲକ୍ଷ ଟଙ୍କା କ୍ଷତି ହୋଇଛି । ପୂର୍ତ ବିଭାଗର ବିଭିନ୍ନ ରାସ୍ତା ଭାଙ୍ଗିବା କାରଣରୁ ୬୦ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଦର୍ଶାଯାଇଛି । କଳାହାଣ୍ଡି ଜିଲ୍ଲାରେ ପଂଚାୟତିରାଜ ବିଭାଗର ପୋଲ ଓ କଲଭର୍ଟ ଭାଙ୍ଗିବା କାରଣରୁ ୪ କୋଟି ୮୯ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଦର୍ଶାଇଛି । ଏହିଭଳି ଭାବେ କୃଷି, ଶକ୍ତି, ଜଙ୍ଗଲ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଭଳି ବିଭିନ୍ନ ବିଭାଗର କ୍ଷତି ପରିମାଣ ୨୧୮ କୋଟି ୭୨ ଲକ୍ଷ ଟଙ୍କା ହୋଇଥିବା ଦର୍ଶାଯାଇଛି । ଜୁଲାଇ ମାସର ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଏଭଳି କ୍ଷତି ହୋଇଥିବା ଦର୍ଶାଯାଇଛି ।

ରାୟଗଡ଼ା ଜିଲ୍ଲାର ନାଗାବଳୀ ଓ କଲ୍ୟାଣୀ ନଦୀ, କଳାହାଣ୍ଡି ଜିଲ୍ଲାର ହାତୀ ଓ ଇନ୍ଦ୍ରାବତୀ ନଦୀ, କୋରାପୁଟର ବଂଶଧାରା ନଦୀ ଓ ମାଲକାନଗିରିର ସାବେରୀ ନଦୀରେ ବନ୍ୟା କାରଣରୁ ଏହି କ୍ଷୟକ୍ଷତି ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଏହି ରିପୋର୍ଟ ପଠାଯାଉଥିବା ବେଳେ, ବର୍ତମାନ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ମୁଖ୍ୟତଃ ଏହି କ୍ଷତି ଭରଣା କରାଯିବ ବୋଲି ଜଣାପଡ଼ିଛି ।