ଭିକ୍ଷ ମାଗିବାକୁ ଛାଡିଦେଇ ଗଲା କୋଟିପତି ପୁଅ ! ହେଲେ ବୁଢା ବାପାର ପୂରା ବିଶ୍ୱାସ କି ତାଙ୍କ ପୁଅ ତାଙ୍କୁ ନେବାକୁ ଦିନେ ନିଶ୍ଚୟ ଆସିବ

512

‘ ବାପାଆମା’ ଏହି ଦୁଇ ଶଦ୍ଦରେ ହିଁ ନିଃସ୍ୱାର୍ଥପରତା ପ୍ରତିଫଳିତ ହୋଇଥାଏ । ଏହି ଦୁଇ ଶଦ୍ଦରେ ଯେତିକି ପବିତ୍ରତା ରହିଛି ସେତିକି ମଧ୍ୟ ଭରିରହିଛି ସ୍ନେହ ଆଉ ନିସ୍ୱାର୍ଥ ପର ଭଲପାଇବା । ବାପାମାଆ ଯିଏ କି କୌଣସି ବି ସ୍ୱାର୍ଥ ନରଖି, କୌଣସି ବି ସର୍ତ୍ତ ନରଖି ନିଜ ପିଲାକୁ ଛୋଟରୁ ବଡ ମଣିଷ କରିଥାନ୍ତି । ନିଜେ ନଖାଇ ସେମାନଙ୍କ ମୁହଁରେ ଆହାର ଦେଇଥାନ୍ତି ଏବଂ ନିଜେ ଛିଣ୍ଡା ପିନ୍ଧି ପିଲାଙ୍କ ଦେହରେ ନୁଆ ପୋଷାକ ପିନ୍ଧାଇଥାନ୍ତି । ହେଲେ ଏହି ଅବିବେକି ସନ୍ତାନମାନେ ଦିନେ ଯେଉଁ ବାପାମାଆଙ୍କ ହାତ ଧରି ଚାଲିବା ଶିଖିଥିଲେ ତାଙ୍କୁ ହିଁ ଅଧାବାଟରେ ଏକୁଟିଆ କରି ଛାଡି ଚାଲିଯାଉଛନ୍ତି । ଏକଥା ଆମେ କହୁ ନାହୁଁଁ ବରଂ ପ୍ରତିଦିନ ଏଭଳି ହିଁ ଘଟଣାମାନ କେଉଁଠି ନା କେଉଁଠି ଘଟୁଛି । ତଥାପି ଲୋକଙ୍କର ମାନବିକତା ଜାଗି ଉଠୁନାହିଁ ଆଉ ବାରମ୍ବାର ଏଭଳି ଭୁଲ କରିଚାଲିଛନ୍ତି ।

ଆଜି ଆମେ ଏଠାରେ ଏଭଳି ହିଁ ଜଣେ ଅସହାୟ ବୁଢା ବାପାର କାହାଣୀ ସଂପର୍କରେ ଆଲୋଚନା କରିଛୁ, ଯିଏକି ତାଙ୍କର ସାରା ଜୀବନ ନିଜର ଏକମାତ୍ର ପୁଅକୁ ମଣିଷ କରିବା ପାଇଁ ଉତ୍ସର୍ଗ କରିଦେଇଥିଲେ କିନ୍ତୁ ବଦଳରେ ତାଙ୍କୁ ମିଳିଥିଲା କେବଳ ଅସହାୟତା । ବଡ କଥା ହେଲା, ତାଙ୍କର ଏବେବି ବିଶ୍ୱାସ ରହିଛି କି, ତାଙ୍କ ପୁଅ ଦିନେ ନା ଦିନେ ନିଶ୍ଚୟ ଆସିବ ଆଉ ତାଙ୍କୁ ନିଜ ସହ ଘରକୁ ନେଇ ଯିବ । ହେଲେ ଏହି ବୁଢା ବାପା ଜଣକ ଏବେବି ଜାଣିପାରୁନି କି ସେ ଯାହା ଉପରେ ଏତେ ବିଶ୍ୱାସର ସହ ଦାବି କରୁଛି ସେ ଆଉ କେବେବି ତାଙ୍କୁ ନେବା ପାଇଁ ଆସିବନି ବୋଲି । ଏହି କାହାଣୀଟି ହେଉଛି ମହାରାଷ୍ଟ୍ରର ନାସିକରେ ରହୁଥିବା ୭୦ ବର୍ଷୀୟ ସୁନୀଲ ମହେନ୍ଦୁଙ୍କର । ଯିଏକି ଏବେ ହରିଦ୍ୱାର ରେଳ ଷ୍ଟେସନରେ ଭିକ୍ଷାବୃତି କରୁଛନ୍ତି । କିଛି ମାସ ତଳେ ତାଙ୍କର ଏକମାତ୍ର ପୁଅ ତାଙ୍କୁ ହରିଦ୍ୱାର ଷ୍ଟେସନରେ ଏକୁଟିଆ ଛାଡି ଦେଇ ଚାଲିଯାଇଥିଲା । ମହେନ୍ଦୁ କୁହନ୍ତି କି, ଏହାପରେ ସେ ପୁଅକୁ ବହୁତ ଖୋଜାଖୋଜି କରିଥିଲେ ହେଲେ କୌଣସି ସୁଫଳ ମିଳନଥିଲା ଶେଷରେ ସେ ବାଧ୍ୟ ହୋଇ ଷ୍ଟେସନରେ ଭିକ୍ଷାବୃତି କରି ପେଟ ପାଳୁଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅୁସାରେ, ମହେନ୍ଦୁଙ୍କର ପୁଅ ତାଙ୍କୁ ଚିକିତ୍ସା କରାଇଦେବା ବାହାନାରେ କିଛି ମାସ ତଳେ ହରିଦ୍ୱାର ନେଇ ଆସିଥିଲେ । ଏହାପରେ ଔଷଧ ଆଣିବାକୁ ଯାଉଛି କହି ବୁଢା ବାପାଟିକୁ ରେଳ ଷ୍ଟେସନରେ ଏକୁଟିଆ ଛାଡି ଦେଇ କେଉଁଆଡେ ଚାଲିଯାଇଥିଲା । ଏହାପରେ ଆଉ ସେ ଫେରି ନଥିଲା । ଏହି ସମୟରେ ବୃଦ୍ଧ ଜଣକ ପୁଅକୁ ବହୁତ ଖୋଜାଖୋଜି କରିଥିଲେ ଆଉ ପୁଅକୁ ନପାଇ ସେ ଶେଷରେ ରେଲୱେର ହେଲ୍ପଲାଇନ ନିକଟରେ ବି ସହାୟତା ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କ ସହ ଘଟିଥିବା ଘଟଣା ସଂପର୍କରେ ଗୋଟି ଗୋଟି କରି ବଖାଣିଥିଲେ ।

ଏହାପରେ ହେଲ୍ପଲାଇରେ ବୃଦ୍ଧ ଜଣକ କହିଥିବା ନାସିକର ଠିକଣାକୁ ଇଂଟରନେଟ ଜରିଆରେ ଟ୍ରେସ କରାଯାଇଥିଲା ଏବଂ ସ୍ଥାନୀୟ ଥାନାକୁ ଏସଂପର୍କରେ ସୂଚିତ କରାଯାଇଥିଲା । କିନ୍ତୁ କୌଣସି ଲାଭ ମିଳିନଥିଲା କାରଣ ଏହା ସତ୍ୱେବି କେହି ବୃଦ୍ଧଙ୍କୁ ନେବା ପାଇଁ ଆସିନଥିଲେ କି ସୂଚନା ଦେଇନଥିଲେ । ହେଲେ ବାପା ତ ବାପା ହୋଇଥାଏ ନା , ଏବେବି ତାଙ୍କୁ ପଚାରିଲେ ସେ ଅତ୍ୟନ୍ତ କୋହଭରା କଣ୍ଠରେ କୁହନ୍ତି କି, ମୋର ପୂରା ବିଶ୍ୱାସ, ମୋ ପୁଅ ମୋତେ ନେବାକୁ ଏଠାକୁ ନିଶ୍ଚୟ ଆସିବ ।