‘ନୋ ଫ୍ଲାଏ ଲିଷ୍ଟ୍‍’ ନିୟମ: ବିମାନରେ ବିଶୃଙ୍ଖଳା ମହଙ୍ଗା ପଡ଼ିବ

33

ବିମାନ ଯାତ୍ରା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ମହଙ୍ଗା ପଡ଼ିବ । ସରକାର ଏଭଳି ଏକ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି ଯାହା ବିଶୃଙ୍ଖଳିତ ଯାତ୍ରୀମାନଙ୍କ ଉପରେ ବାସନ୍ଦ ଲଗାଇପାରିବ । ବିଶୃଙ୍ଖଳାକୁ ତିନିଟି ସ୍ତରରେ ଭାଗ କରାଯାଇଛି । ତାହା ହେଉଛି ମୌଖିକ, ଶାରିରୀକ ଏବଂ ଜୀବନକୁ ବିପଦ ଥିବା ଭଳି ବିଶୃଙ୍ଖଳା । ସେହି ଆଧାରରେ ଦଣ୍ଡ ପ୍ରଦାନ କରାଯିବ ।

ବିଶୃଙ୍ଖଳିତ ଆଚରଣ ଯଥା ଅଶାଳୀନ ବ୍ୟବହାର, ଅଙ୍ଗଭଙ୍ଗୀ, ଆକ୍ରମକ ବ୍ୟବହାର, ଠେଲାପେଲା କରିବା, ଧକ୍କା ମାରିବା, ଯୌନ ଉତ୍ପୀଡ଼ନ କିମ୍ବା ଜୀବନରେ ମାରିଦେବା ଭଳି ଧମକ ପାଇଁ ବିମାନ ଯାତ୍ରୀଙ୍କ ଉପରେ ଯାତ୍ରା କଟକଣା ଜାରି କରାଯିବ । ସେମାନଙ୍କୁ ତିନି ମାସରୁ ଆରମ୍ଭ କରି ଛଅ ମାସ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇପାରିବ । ଏହି ଚିଠା ନିୟମ ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି ଯାହା ଉପରେ ଏକ ମାସ ଭିତରେ ମତାମତ ପ୍ରଦାନ କରାଯାଇପାରିବ । ଏହା ପରେ ଚୂଡ଼ାନ୍ତ ନିୟମ ପ୍ରସ୍ତୁତ ହେବ ।

ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ନୋ ଫ୍ଲାଏ ଲିଷ୍ଟ୍’ ଜାରି କରିବାକୁ ଯାଉଛି । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ ଯେଉଁ ଲୋକମାନଙ୍କୁ ନେଇ ବିପଦ ରହିଛି ସେମାନଙ୍କୁ ବିମାନରେ ଯାତ୍ରା କରିବାର ସୁଯୋଗ ଦିଆଯିବ ନାହିଁ ।

ଏକ ଅପିଲ୍ କମିଟି ଗଠନ କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି । କମିଟିର ମୁଖ୍ୟ ଭାବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ । ଏହା ସହିତ ଯାତ୍ରୀ ସଂଘ କିମ୍ବା ଉପଭୋକ୍ତା ବିବାଦ ଫୋରମର ଅଧିକାରୀ ଏବଂ ବିମାନ କଂପାନିର ଅଧିକାରୀ ସଦସ୍ୟ ଭାବେ କମିଟି ପାଇଁ କାମ କରିବେ । ବେସମାରିକ ବିମାନ ଚଳାଚଳ ସଚିବ ନୟନ ଚୌବେ କହିଛନ୍ତି ଯେ, ଜଣେ ଯାତ୍ରୀଙ୍କ ଉପରେ ବିମାନ କଂପାନିଗୁଡ଼ିକ ତତ୍କାଳ କଟକଣା ଲାଗୁ କରିପାରିବେ । କିନ୍ତୁ ତାଙ୍କ ନାମ ସଙ୍ଗେ ସଙ୍ଗେ ଜାତୀୟ ନୋ ଫ୍ଲାଏ ଲିଷ୍ଟରେ ସ୍ଥାନ ପାଇବ ନାହିଁ ।

କାହିଁକି ଦରକାର ପଡ଼ିଲା ଏଭଳି ନିୟମ

ଚଳିତ ବର୍ଷ ମାର୍ଚ୍ଚରେ ମହାରାଷ୍ଟ୍ରର ଓସମାନାବାଦର ଶିବସେନା ସାଂସଦ ରବିନ୍ଦ୍ର ଗାଏକଓ୍ଵାଡ୍ ସିଟ୍ ସମସ୍ୟାକୁ ନେଇ ଏୟାର ଇଣ୍ଡିଆର ୬୦ ବର୍ଷ ବୟସ୍କ କର୍ମଚାରୀ ଆର୍ ସୁକୁମାରଙ୍କୁ ମାଡ଼ ମାରିଥିଲେ । ଏହାକୁ ନେଇ ସେହି ସମୟରେ ବେଶ କିଛି ହୋହଲ୍ଲା ହୋଇଥିଲା । ଗାଏକଓ୍ଵାଡଙ୍କ ଉପରେ କଂପାନି ପକ୍ଷରୁ ଉଡ଼ାଣ କଟକଣା ଜାରି କରାଯାଇଥିଲା । ସେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ଏଭଳି ଘଟଣା ଭବିଷ୍ୟତରେ ଘଟିବ ନାହିଁ । ସେହିପରି ଜୁନ୍ ମାସରେ ବିଶାଖାପାଟଣା ବିମାନ ବନ୍ଦରରେ ଟିଡିପି ନେତା ଜେସି ଦିବାକର ରେଡ୍ଡୀ ହଙ୍ଗାମା ସୃଷ୍ଟି କରିଥିଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ନୋ ଫ୍ଲାଏ ଲିଷ୍ଟର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ବିମାନ କଂପାନିଙ୍କ ମତ କଣ

ନୋ ଫ୍ଲାଏ ଲିଷ୍ଟ ଚିଠା ନିୟମ ବିଷୟରେ ବିମାନ କଂପାନିର ଅଧିକାରୀମାନେ କହୁଛନ୍ତି ଯେ, ଅଭିଯୋଗ ଦାଖଲ କରିବାର ପ୍ରକ୍ରିୟା ସରଳ ହେବା ଦରକାର । ଅନେକ ମାମଲା ବିମାନ ବନ୍ଦର ପୁଲିସ ପାଖରେ ପହଞ୍ଚିବ ନାହିଁ । କାରଣ କ୍ରୁ ସଦସ୍ୟମାନେ ତଦନ୍ତ ପାଇଁ ବାରମ୍ବାର ପୁଲିସ ଷ୍ଟେସନ ଆସିପାରିବେ ନାହିଁ । ଅନ୍ୟ ଏକ ବିମାନ କଂପାନିର ଅଧିକାରୀ କହିଛନ୍ତି ଯେ, ଦଣ୍ଡବିଧାନ ଆହୁରି କଠୋର ହେବା ଦରକାର । ଏହା ପ୍ରସ୍ତାବିତ ଦଣ୍ଡ ଠାରୁ ଦୁଇ ଗୁଣା ଅଧିକ ହେବା ଦରକାର । ଜୀବନରେ ମାରିଦେବା ପାଇଁ ଧମକ ଦେଉଥିବା ଯାତ୍ରୀଙ୍କ ଉପରେ ଜୀବନବ୍ୟାପୀ କଟକଣା ଲଗାଯିବା ଦରକାର।