ଇପିଏଫଓର ବଡ ଘୋଷଣା : ୬କୋଟି ପିଏଫ ଖାତାଧାରୀଙ୍କୁ ମିଳିବ ନିର୍ବାଚନୀ ଉପହାର

3,883

କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫଓ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପ୍ରୋଭିଡେଂଟ ଫଣ୍ଡ ଉପରେ ମିଳୁଥିବା ସୁଧ ଦରକୁ ବୃଦ୍ଧି କରିପାରେ । ଗତ ଆର୍ଥିକ ବର୍ଷ ତଥା ୨୦୧୭-୧୮ ପାଇଁ ଇପିଏଫଓ ପିଏଫ ଉପରେ ୮.୫୫ ପ୍ରତିଶତର ସୁଧ ଦର ଧାର୍ଯ୍ୟ କରିଥିଲା । ତେବେ ମିଳିଥିବା ସୂତନା ମୁତାବକ, ଚଳିତ ଆର୍ଥିକ ବର୍ଷ ପାଇଁ ପିଏଫ ଉପରରେ ସୁଧ ଦର ଧାର୍ଯ୍ୟ କରିବାକୁ ପ୍ରସ୍ତାବ ୨୧ ଫେବ୍ରୃଆରୀରେ ହେବାକୁ ଥିବା ସେଂଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ସିବିଟିର ବୈଠକରେ ଆସିପାରେ ।

ସୂଚନା ଅନୁସାରେ, ସରକାର ଲୋକସଭା ନିର୍ବାଚନ ପୂର୍ବରୁ ପିଏଫ ସଦସ୍ୟଙ୍କୁ ପ୍ରଲୋଭିତ କରିବା ପାଇଁ ପିଏଫ ଉପରେ ମିଳୁଥିବା ସୁଧ ଦରକୁ ବୃଦ୍ଧି କରିପାରନ୍ତି । ଏହାଦ୍ୱାରା ପାଖାପାଖି ୬ କୋଟି ପିଏଫ ଖାତାଧାରୀଙ୍କୁ ଫାଇଦା ହେବ । ତେବେ ସିବିଟି ଇପିଏଇଓ ବିଷୟରେ ନିଷ୍ପତି ନେବାରେ ସର୍ବୋଚ୍ଚ ବୋର୍ଡ ଆଉ ସିବିଟି ହିଁ ପିଏଫ ଉପରେ ମିଳୁଥିବା ସୁଧ ଦରକୁ ନେଇ ସୁପାରିସ କରିଥାଏ । ସାଧାରଣତଃ ସିବିଟିର ସୁପାରିସକୁ ହିଁ ଶେଷ ତଥା ଅନ୍ତିମ ନିଷ୍ପତି ଭାବରେ ଗ୍ରହଣ କରାଯାଇଥାଏ ।

ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଇପିଏଫଓ ପିଏଫ ଉପରେ ୮.୫୫ ପ୍ରତିଶତ ସୁଧ ଦର ଧାର୍ଯ୍ୟ କରିଥିଲା । ଯାହାକି ଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ ରହିଥିଲା । ଏଭଳି ପରିସ୍ଥିତିରେ ସରକାର ପିଏଫ ଉପରେ ମିଳୁଥିବା ସୁଧ ଦରକୁ ବୃଦ୍ଧି କରି ପାଖାପାଖି ୬କୋଟି ପିଏଫ ଖାତାଧାରୀଙ୍କୁ ଏକ ସକରାତ୍ମକ ଖବର ଦେଇପାରନ୍ତି ।

ସେହିପରି ୨୧ ଫେବୃଆରୀରେ ହେବାକୁ ଥିବା ଏହି ସିବିଟି ବୈଠକରେ ନୂଆ ଫଣ୍ଡ ମ୍ୟାନେଜଙ୍କର ନିଯୁକ୍ତି ଉପରେ ବି ବିଚାର ବିମର୍ଷ କରାଯିବ । ଏହାବ୍ୟତୀତ ବୈଠକରେ ଇପିଏଫଓ ଦ୍ୱାରା ସେୟାର ବଜାରରେ କରାଯାଉଥିବା ନିବେଶର ସମୀକ୍ଷା ବି କରାଯାଇପାରେ । ଇପିଏଫଓ ଅଗଷ୍ଟ ୨୦୧୬ରେ ନିବେଶ ଆରମ୍ଭ କରିଥିଲା । ବର୍ତ୍ତମାନ ସମୟରେ ଇପିଏଫଓ ନିବେଶ ଯୋଗ୍ୟ କିଛି ଫଣ୍ଡର ୧୫ ପ୍ରତିଶତ ସେୟାର ବଜାରରେ ନିବେଶ କରୁଛି ।