ବିଜେଡି ରାଜନୀତିରେ ନୂଆ ସମୀକରଣ । ସାମିଲ ହେଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ

69

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଆଜି ସକାଳୁ ନବୀନ ନିବାସ ସରଗରମ ହୋଇ ଉଠିଥିଲା । ସାରା ରାଜ୍ୟର ନଜର ପଡିଥିଲା ବିଜେଡି ରାଜନୀତିରେ ଘଟୁଥିବା ଏହି ନୂଆ ଘଟଣା ଉପରେ । ପୂର୍ବତନ ସାଂସଦ ତଥା ସବୁଠାରୁ ଲୋକପ୍ରିୟ ସମ୍ବାଦପତ୍ର ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଓ କିଟ୍ ତଥା କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବିଜେଡିରେ ଯୋଗ ଦେଇଥିଲେ ।

ନବୀନ ନିବାସରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ସୌମ୍ୟ ରଂଜନ ଓ ଅଚ୍ୟୁତଙ୍କ ବିଜେଡିରେ ଯୋଗଦାନ ନେଇ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ପ୍ରଥମେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ ସେ ଦଳ ପାଇଁ “ଟ୍ରେମେଣ୍ଡସ ଆସେଟ” ଅର୍ଥାତ ଦଳ ପାଇଁ ଲାଭଦାୟକ ହେବେ । ସେହିପରି ଅଚ୍ୟୁତ ସାମନ୍ତଙ୍କ ଯୋଗଦାନ ନେଇ ଘୋଷଣା କରିବା ପରେ କହିଥିଲେ ସେ ଦଳ ପାଇଁ “ଗ୍ରେଟ ଆସେଟ” ଅର୍ଥାତ ଦଳ ପାଇଁ ସେ ମଧ୍ୟ ଲାଭଦାୟକ ହେବେ ।

ବେଶ କିଛି ଦିନର ଚର୍ଚ୍ଚା ଆଲୋଚନା ପରେ ଓଡିଶା ରାଜନିତିରେ ଏହି ଦୃଶ୍ୟ ଏକ ଗୁରୁତ୍ୱପୂଣ୍ଣ ଦିଗ ଆଡକୁ ଇସାରା କରୁଛି । ଚାଷୀଙ୍କ ପାଇଁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ, ଚିଟଫଣ୍ଡ କ୍ଷତିଗ୍ରସ୍ତ ପାଇଁ ହକ ମାଗିବା , ଭାଷା ପାଇଁ ଆନ୍ଦୋଳନ କରିବା ଓ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟିକରି ଓଡିଶାରେ ଏକ ଜନ ଆନ୍ଦୋଳନ ଗଢିଥିବା ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ପରେ ଏହି ପ୍ରସଙ୍ଗଗୁଡିକର ଗୁରୁତ୍ୱ ବଢିଯାଇଛି । ଏବଂ ୨୦୧୯ ସାଧରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଏହି ମିଶ୍ରଣ ଏକ ନୂଆ ଆଶାର ସଂଚାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସୌମ୍ୟ କହିଛନ୍ତି ଦଳ ଓ ବ୍ୟକ୍ତିଙ୍କଠାରୁ ପ୍ରସଙ୍ଗ ଓ ବିଚାର ଅଧିକ ଗୁରୁତ୍ୱପୂର୍ଣ୍ଣ ।

ବିଜେଡିରେ ସୌମ୍ୟ ରଂଜନଙ୍କ ଯୋଗଦାନର କିଛି ସମୟ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନବୀନ ନିବାସରେ ପହଂଚିଥିଲେ କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଶିକ୍ଷା କ୍ଷେତ୍ରରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅବଦାନ ରହିଥିବା ଡକ୍ଟର ସାମନ୍ତ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତି ତାଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିଥିଲା ।