ବିହାର ଛାଡି ମଧ୍ୟପ୍ରଦେଶରୁ ପୁଣି ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ନିଆଗଲା ନିଷ୍ପତି

110

କନକ ବ୍ୟୁରୋ: ବିହାର ପରିବର୍ତ୍ତେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ନିଷ୍ପତି ହୋଇଛି । ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଏପ୍ରିଲରେ ଶେଷ ହେଉଛି । କେନ୍ଦ୍ର କ୍ୟାବିନେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି କେଉଁ ରାଜ୍ୟରୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛିି ବିଜେପି ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାସ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥର ମଧ୍ୟପ୍ରଦେଶରୁ ସଂସଦର ଉଚ୍ଚ ସଦନ ପଠାଇବା ନିଷ୍ପତିରେ ମୋହର ମାରିଛି କେନ୍ଦ୍ରୀୟ ନିର୍ବାଚନ କମିଟି । ଗତବର୍ଷ ସେପ୍ଟେମ୍ବରରେ ତାଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ସହ ଦକ୍ଷତା ବିକାଶ ମନ୍ତ୍ରାଳୟର ଅତିରିକ୍ତଦାୟିତ୍ୱ ଦେଇଥିଲେ ମୋଦି ।

 

ଉଲ୍ଲେଖଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଉତ୍ତରପ୍ରଦେଶ, ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିହାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଥାବରଚାନ୍ଦ ଗହଲୋଟଙ୍କୁ ମଧ୍ୟପ୍ରଦେଶ, ଶିକ୍ଷା ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ମହାରାଷ୍ଟ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ଯିବା ପାଇଁ ବୁଧବାର ଟିକେଟ୍ ମିଳିଛି । ଏତଦ୍ ବ୍ୟତୀତ ମନସୁଖ ଭାଇ ମାଣ୍ଡବ୍ୟା ଓ ପୁରୁଷୋତ୍ତମ ରୁପାଲା ଗୁଜରାଟ ଓ ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ଯିବେ।

ରାଜ୍ୟସଭାର ୫୮ଟି ସିଟ ପାଇଁ ଆଗାମୀ ମାର୍ଚ୍ଚ ୨୩ରେ ମତଦାନ ହେବ। ୧୬ଟି ରାଜ୍ୟରେ ଏହି ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ଏପ୍ରିଲ-ମଇ ୨୦୧୮ରେ ୫୮ ରାଜ୍ୟସଭା ସାଂସଦମାନଙ୍କ କାର୍ଯ୍ୟ ଶେଷ ହେବ। ଏହା ପରେ ଏହି ସିଟ୍ ଖାଲି ହେବ। ରାଜ୍ୟସଭା ସାଂସଦ ପାଇଁ ମାର୍ଚ୍ଚ ୧୨ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶରୁ ସର୍ବାଧିକ ୧୦ଟି ସିଟ ଖାଲି ହେବ । ଉତ୍ତରପ୍ରଦେଶର ୩୧ଟି ରାଜ୍ୟସଭା ସାଂସଦ ସିଟରୁ ୯ଜଣଙ୍କର କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେବାକୁ ଥିବା ବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସିଟରେ ମଧ୍ୟ ଏପ୍ରିଲରେ ନିର୍ବାଚନ ହେବ । ଦଳିତମାନଙ୍କ ନେତ୍ରୀ ଗତ ବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ ।