ସଡ଼କ ସୁରକ୍ଷା ପାଇଁ ସୋସିଆଲ ମିଡ଼ିଆରେ ନୂଆ ଅଭିଯାନ ! ‘ସେଲ୍ଫି ୱିଥ୍ ହେଲମେଟ୍’

157

ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ନକରାତ୍ମକ ପ୍ରଭାବ ପଡ଼ୁଛି ବୋଲି ଆଜିକା ଦିନରେ ସବୁବେଳେ କିଛି ନା କିଛି ଖବର ଆସୁଛି । କିନ୍ତୁ ସୋସିଆଲ ମିଡ଼ିଆକୁ କିଭଳି ଉଚିତ ଦିଗରେ ବ୍ୟବହାର କରାଯାଇ ପାରିବ ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବା ପାଇଁ ମିଳିଛି । ସଡ଼କ ସୁରକ୍ଷା ପାଇଁ ସୋସିଆଲ ମିଡ଼ିଆରେ ନୂତନ ଅଭିଯାନ ଆରମ୍ଭ ହୋଇଛି । ଟ୍ୱିଟରରେ ଏନେଇ ଚାଲିଛି ଜୋରଦାର ଅଭିଯାନ । କେନ୍ଦୁଝର ଏସପି, ଅନେକ ଯୁବପିଢ଼ୀ ଓ ସାଧାରଣ ଲୋକ ଏହି ଅଭିଯାନକୁ ସମର୍ଥନ ଜଣାଇ ଟ୍ୱିଟରରେ ସଚେତନାର ବାର୍ତ୍ତା ବାଣ୍ଟୁଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ଟ୍ୱିଟରରେ ଆରମ୍ଭ ହୋଇଛି ‘ସେଲ୍ଫି ୱିଥ୍ ହେଲମେଟ୍’ ଅଭିଯାନ । ଟ୍ୱିଟର ବ୍ୟବହାରକାରୀମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ମେସେଜ୍ ଲେଖି ସେଲ୍ଫିୱିଥହେଲମେଟ ଅଭିଯାନ ଆରମ୍ଭ କରିଛନ୍ତି ।

ପ୍ରଥମେ ବିନା ହେଲମେଟରେ ଗାଡ଼ି ଚଳାଇଲେ ଜରିମାନା ହେଉଥିଲା । ପରେ ହେଲମେଟ୍ ପିନ୍ଧିନଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ହେଲମେଟ ପିନ୍ଧିବା ପାଇଁ ବୁଝା ଯାଇଥିଲା । ଏହାପରେ କମିଶନରେଟ୍ ପୋଲିସ ଭିଡ଼ିଓ ମାଧ୍ୟମରେ ମଧ୍ୟ ସଡ଼କ ସୁରକ୍ଷା ନେଇ ବାର୍ତ୍ତା ଦେଇଥିଲେ । କେବଳ ଏତିକି ନୁହଁ ପ୍ରଶାସନ ପକ୍ଷରୁ ନୋ ‘ହେଲମେଟ୍ ନୋ ପେଟ୍ରୋଲ ନିୟମ’ ମଧ୍ୟ ଲାଗୁ କରାଯାଇଥିଲା । ଏତେ ସଚେତନ ସତ୍ୱେ ଲୋକ କିଛିକାଂଶରେ ପରିବର୍ତ୍ତନ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ରୂପେ ଏହାକୁ ଆପଣାଇ ପାରି ନଥିଲେ ।

ହେଲମେଟ୍ ନପିନ୍ଧିଲେ କିପରି କ୍ଷତି ସହିବାକୁ ପଡ଼େ ସେ ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ଏବେ ଟ୍ୱିଟରରେ ‘ସେଲ୍ଫି ୱିଥ ହେଲମେଟ୍’ ଅଭିଯାନ ଆରମ୍ଭ କରିଛନ୍ତି କିଛି ଓଡ଼ିଆ । ହେଲମେଟ୍ ପିନ୍ଧିଥିବାର ସେଲ୍ଫି ଉଠାଇ ଟ୍ୱିଟରରେ ଅପଲୋଡ଼ କରୁଛନ୍ତି । ଏନେଇ ଟ୍ୱିଟରରେ ଅନେକ ବାର୍ତ୍ତା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଆଗାମୀ ଦିନରେ କେତେଦୂର ଏହି ନିଆରା ଅଭିଯାନ ସଫଳ ହେଉଛି ବା ଲୋକଙ୍କୁ ସଚେତନ କରାଉଛି ତାହା ଦେଖିବା ପାଇଁ ବାକି ରହିଲା ।