ଲାଲଗଡରେ ରାଜଧାନୀ ବାବୁ : ବଣ୍ଡାଘାଟିରେ ବିକାଶର ସ୍ଥିତି ପରଖିଲେ ସଚିବ ବିଶାଲ ଗଗନ

34

କନକ ବ୍ୟୁରୋ :  ଲାଲଗଡରେ ବିକାଶ ଧାରାକୁ ପରଖିଛନ୍ତି ସଚିବ । ମାଲକାନଗିରି ଜିଲ୍ଲାପାଳଙ୍କ ସହ ଜିଲ୍ଲାର ଦାନିଗୁଡା ଗାଁରେ ପହଂଚିଥିଲେ ସଚିବ ବିଶାଲ ଗଗନ । ଜିଲ୍ଲାର ନୋଡାଲ ଅଫିସରଙ୍କ ଟିମ୍ ସେଠାରେ ଜଣେ ହିତାଧିକାରୀଙ୍କ ଛେଳି ଫାର୍ମକୁ ବୁଲି ଦେଖିଥିଲେ । ଦାନିଗୁଡା ଗାଁର ଦୁଲା ପଡିଆମି ସରକାରୀ ଅନୁଦାନରେ ଏକ ସଫଳ ଛେଳି ଫାର୍ମ କରିଥିବା ବେଳେ ଅନ୍ୟମାନଙ୍କୁ ଦୁଲାଙ୍କ ପରି ସ୍ୱାବଲମ୍ବୀ ହେବା ଲାଗି ପରାମର୍ଶ ଦେଇଥିଲେ ବିଶାଲ ଗଗନ । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା ପରି ବିଭିନ୍ନ ସରକାରୀ ସ୍କିମ ଗୁଡିକ ତଦାରଖ କରି ଆଦିବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା, ଜଳ ସେଚନ, ପାନୀୟ ଜଳ ସୁଚାରୁ ରୂପେ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ସଚିବ।

ସଚିବଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୁଲି ଦେଖିଥିଲେ । ଦାନୀଗୁଡା ପାୱାର ଗ୍ରିଡ ସହ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ ସଟ ଡାଉନ ସମସ୍ୟା ଲାଗି ରହିଥିବା ବେଳେ ପାୱାର ହାଉସରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସଚିବ । ସେହିପରି ଗାମ୍ଫାକୋଣ୍ଡା ଜଳ ଯୋଗାଣ ପ୍ରକଳ୍ପ ଓ ତାମସା ମେନ କ୍ୟାନାଲ ବି ବୁଲି ଦେଖିଛନ୍ତି ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଫିସର । ଗତ କିଛି ଦିନ ତଳେ ବଣ୍ଡାଘାଟି ଠାରେ ରାସ୍ତା ନିର୍ମାଣ କାମକୁ ବିରୋଧ କରି ମାଓବାଦୀ ମାନେ ପୋକଲିନ, ଜେ.ସି.ବି ଓ ଯାନବାହନ ପୋଡି ଦେଇଥିଲେ ହେଁ ସେଠାରେ ପହଁଚି ରାସ୍ତା ନିର୍ମାଣ କାମକୁ ତଦାରଖ କରି ପୁନର୍ବାର ରାସ୍ତା କାମ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ସଚିବ ।