ଶିକ୍ଷା ଅବ୍ୟବସ୍ଥାର ଦୁଇଟି ଚିତ୍ର : ନବରଙ୍ଗପୁରରେ ଶିକ୍ଷକ ଦାବିରେ ସ୍କୁଲ ଛାଡିଲେ ଛାତ୍ରଛାତ୍ରୀ

34

କନକ ବ୍ୟୁରୋ : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଛାଡିଲେ ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଛାଡିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବିଗାଁ ଘୋଡାଖୁଂଟା ଉଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ, ୩ ବର୍ଷ ହେବ ସ୍କୁଲରେ ଠିକ୍ ଭାବରେ ପାଠପଢା ହେଉନି । କାରଣ ଶିକ୍ଷକ ନାହାଁନ୍ତି । ଅନ୍ୟ ଏକ ସ୍କୁଲରୁ ଜଣେ ଶିକ୍ଷକ ଆସି ସପ୍ତାହକୁ ମାତ୍ର ତିନି ପଢାଉଛନ୍ତି । ବାସ ବାକି ସବୁ ଦିନ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲରେ ବସି ବସି ଘରକୁ ଫେରୁଥିବା ଅଭିଯୋଗ ହୋଇଛି । ସେପଟେ ଶିକ୍ଷକ ନଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଡାବୁଗାଁ ଏବିଇଓ । କହିଛନ୍ତି କସାଗୁଡାରୁ ଜଣେ ଶିକ୍ଷକ ଆସି ୩ ଦିନ ପଢାଉଛନ୍ତି । ଏନେଇ ଏବିଇଓ ଓ ସିଆରସିଙ୍କ ପକ୍ଷରୁ ଏକ ମିଳିତ ରିପୋର୍ଟ ବିଇଓଙ୍କୁ ଦିଆଯାଇଛି । ଖୁବଶୀଘ୍ର ସ୍କୁଲରେ ଶିକ୍ଷକ ନିଯୁକ୍ତ କ୍ଷେତ୍ରରେ ପଦକ୍ଷେପ ନିଆଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫେରାଇ ଆଣିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯାଉଥିବା କହିଛନ୍ତି ଶିକ୍ଷାଧିକାରୀ ।

ଦୟନୀୟ ଭାବରେ ଚାଲିଛି ସ୍କୁଲ । ମୁଁହକୁ ମୁୁଁହ ଯୋଖାଯୋଖି ହୋଇ ବସିଛନ୍ତି ଛାତ୍ରଛାତ୍ରୀ, ଆଉ ଚାଲିଛି ପାଠପଢା । ବେଂଚ ଡେକ୍ସ ତ ନାହିଁ, ତଳେ ଖାତା ପକାଇ ଲେଖିବା ପାଇଁ ବି ଜାଗା ନାହିଁ । ଏ ସମସ୍ୟା ହେଉଛି, ନୂଆପଡା ଜିଲ୍ଲା ସଦର ବ୍ଲକ ଚୁହୁରି ଗାଁର । ଶିକ୍ଷକଙ୍କ ବଦଳି ବିରୋଧରେ ୫ଦିନ ହେବ ସ୍କୁଲରେ ତାଲା ପଡିଥିବା ବେଳେ ଗାଁରେ ମଝିରେ ପିଣ୍ଢାରେ ଛାତ୍ରଛାତ୍ରୀ ଅତି ଦୟନୀୟ ଅବସ୍ଥାରେ ପାଠ ପଡୁଛନ୍ତି । ଶିକ୍ଷକଙ୍କ ନିଯୁକ୍ତି ଦାବିରେ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇଥିବା ବେଳେ ପିଲାଙ୍କ ପାଠପଢା ଓ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ ନହେବା ଯାଏଁ ସ୍କଲରୁ ତାଲା ଖୋଲିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେପଟେ ଏନେଇ ଅତିଶୀଘ୍ର ସ୍କୁଲରୁ ତାଲା ଖୋଳାଯାଇ ନିୟମିତ ଚଲିବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷାଧିକାରୀ ।